ଖୁସିରେ ପରୀକ୍ଷା ଦିଅ

ପରୀକ୍ଷାର୍ଥୀମାନେ ମୋର କଥାଟିକୁ
ମନ ଦେଇ ତମେ ଶୁଣ,
ଅସ୍ଥିର ହୁଅନି ଭାଙ୍ଗି ପଡ ନାହିଁ
ସବୁ ଭଲ ହେବ ଜାଣ।
ବେଶି ରାତି ଯାଏ ପାଠ ପଢ଼ ନାହିଁ
ଆରାମରେ ଟିକେ ଶୁଅ,
ସାରା ବରଷ ତ ପାଠ ପଢ଼ିଅଛ
ଏତେ ଭାଳି କିମ୍ପା ହୁଅ।
ରୁଚି ଯାହା ହେବ ପୁଷ୍ଟିକର ଖାଦ୍ୟ
ସନ୍ତୋଷ ମନରେ ଖାଅ,
ଗୁରୁଜନଙ୍କର ଆଶୀର୍ବାଦ ନେଇ
ପରୀକ୍ଷା କେନ୍ଦ୍ରକୁ ଯାଅ।
ଅଧିକ ନମ୍ବର ରହିବ କି ନାହିଁ
ସବୁବେଳେ ଭାବ ନାହିଁ,
ଆତ୍ମ ବିଶ୍ଵାସରେ ଦୃଢ଼ମନା ହେଲେ
ନିଶ୍ଚୟ ସଫଳ ହୋଇ।
ପ୍ରଥମ ଥର ଏ ପରୀକ୍ଷା ଦେଉଛ
ଭୟ ଟିକିଏ ଲାଗିବ,
ଉତ୍ସାହିତ ହେଲେ ପରୀକ୍ଷା କକ୍ଷରେ
ଶାନ୍ତ ମନେ ଲେଖିଯିବ।
ସରଳ ସହଜ ସଂକ୍ଷିପ୍ତ ପ୍ରଶ୍ନର
ଉତ୍ତର ଲେଖି ପକାଅ,
ମନ ସ୍ଥିର କରି ଦୀର୍ଘ ପ୍ରଶ୍ନ ପଢ଼ି
ଭାବିକି ଉତ୍ତର ଦିଅ।
ନିଜକୁ କେବେ ହେଁ ଅନ୍ୟ ସାଙ୍ଗ ସହ
ତୁଳନା କରିବ ନାହିଁ,
ପ୍ରତ୍ୟେକ ଫୁଲରେ ଭିନ୍ନ ଭିନ୍ନ ବାସ୍ନା
ରଖନ୍ତି ଜଗତ ସାଇଁ।
ଜୀବନରେ କେତେ ପରୀକ୍ଷା ଆସିବ
ଆମକୁ ତ ଜଣା ନାହିଁ,
ଏଇ ପରୀକ୍ଷାଟା ସବୁ କିଛି ବୋଲି
ଭାବୁଅଛ ତମେ କାହିଁ ?

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *