ଅବକାରୀ ନୀତି-୨୦୨୫-୨୬

ଅବକାରୀ ନୀତି-୨୦୨୫-୨୬ ଚିଠା ପ୍ରସ୍ତୁତି ଉପରେ ଅଂଶୀଦାରମାନଙ୍କ ସହ ଆଲୋଚନା ସ୍ୱଚ୍ଛ ଓ ଉତ୍ତରଦାୟୀ ଅବକାରୀ ନୀତି ନେଇ ବୈଠକରେ ମତପୋଷଣଭୁବନେଶ୍ୱର ୨୧/୦୨/୨୦୨୫ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହ ସଂପୃକ୍ତ ଅଂଶୀଦାରମାନଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଅଂଶୀଦାରମାନଙ୍କ ମତାମତ ସଂପର୍କିତ ଏକ ବୈଠକ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଏବଂ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ କୌଣସି ନୀତି ପ୍ରଣୟନ ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଗଲେ ସଂପୃକ୍ତ ଆଇନ ଗ୍ରହଣୀୟ ହୋଇଥାଏ । ଏକ ଆଇନରେ ସମସ୍ତଙ୍କର ମତାମତ ସ୍ଥାନ ପାଇଲେ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଉତ୍ସାହପ୍ରଦ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ । ବୈଠକ ପ୍ରାରମ୍ଭରେ କମିଶନର ତଥା ଶାସନ ସଚିବ ଅବକାରୀ ନୀତି ସଂପର୍କରେ ଉପସ୍ଥାପନା ରଖିଥିଲେ । ଏହି ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିିନିଧି, ହୋଟେଲ ଓ ରେସ୍ତୋରାଁ ସଂଘର କର୍ମକର୍ତ୍ତା, ଲାଇସେନ୍ସ ପ୍ରାପ୍ତ ଖୁଚୁରା ବ୍ୟବସାୟୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା ।ସେହିଭଳି ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ପାଇଁ ସଂପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।