ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍ଘାଟିତ“ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ”

ଭୁବନେଶ୍ୱର, ତା: ୨୨/୦୨/୨୫:ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଘାଟନ କରି ପ୍ରଫେସର ଶର୍ମା ଅସ୍ମିତାର ଅଭିବୃଦ୍ଧିକ୍ରମେ କଳା ସାହିତ୍ୟ ସଂସ୍କୃତିର ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ବୋଧନ ଦେଇ ମାତୃଭାଷାର ବିକାଶ ନିମନ୍ତେ ସାହିତ୍ୟିକମାନଙ୍କର ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ଓ ସାନ୍ତାଳୀ ସାହିତ୍ୟର ବନ୍ଧୁତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଯତୀନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଆମକୁ ବଂଚିବାର ଅର୍ଥ ଯୋଗାଇ ଦେଇଥାଏ ଓ ଏହି ସୃଜନଶୀଳ ଯାତ୍ରା ଭିବଷ୍ୟତ ପାଇଁ ଶୁଭଙ୍କର ବୋଲି ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପୌରୋହିତ୍ୟ କରିଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କବି ଡକ୍ଟର ଗୌତମ ଜେନା ଓ ଚିତ୍ରଶିଳ୍ପୀ ଶ୍ରୀ ପ୍ରଶାନ୍ତ ମାଝୀଙ୍କୁ ଯଥାକ୍ରମେ “କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ” ଓ “ଦିନନାଥ ପାଠୀ ଶିଳ୍ପୀ ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଶୈଳେନ୍ଦ୍ର କୁମାର ଜେନା, ବିଦ୍ୟୁତ୍ପ୍ରଭା ଗନ୍ତାୟତ, ଅଶୋକ ସିଂ ଓ ସୂର୍ଯ୍ୟ ମିଶ୍ରଙ୍କ ପୁସ୍ତକ ସମେତ ଅନୁଷ୍ଠାନର କବିତା ମୁଖପତ୍ର ‘କବିତା-୨୦୨୪’ ଓ ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଲୋକାର୍ପିତ ହୋଇଥିଲା । ଉଦ୍ଘାଟନ ପରେ “ସମକାଳୀନ ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା, ଡ. ସଂଗ୍ରାମ ଜେନା, ଡ. ସଂଘମିତ୍ରା ଭଞ୍ଜ, ଡ. ଶୁଭଶ୍ରୀ ଲେଙ୍କା ଓ ଡ. ଜ୍ଞାନୀ ଦେବାଶିଷ ମିଶ୍ର ଅଂଶ ଗ୍ରହଣ କରିଥିବାବେଳେ “କୃତ୍ରିମ ବୁଦ୍ଧିମତ୍ତା ଓ ସୃଜନଶୀଳତା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଗଣପତି ପଣ୍ଡା, ଡ. ସତ୍ୟରଞ୍ଜନ ଦାସ, ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଓ ଡ. ରୋଜାଲିନା ପ୍ରିୟଦର୍ଶିନୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ “ସମକାଳର ଓଡ଼ିଆ ବ୍ୟଙ୍ଗ ସାହିତ୍ୟ” ଉପରେ ଅଧ୍ୟାପକ ରମାକାନ୍ତ ମିଶ୍ର, ଜ୍ଞାନ ହୋତା, ଓମ୍ ଅଭିଜ୍ଞାନ ସାହୁ ଅଂଶଗ୍ରହଣ କରି ବ୍ୟଙ୍ଗ ସାହିତ୍ୟର ପ୍ରଭାବ ଓ ପରିସୀମା ଉପରେ ଉତ୍ତର ରଖିଥିଲେ ଏବଂ ଡକ୍ଟର ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ । ପରେ ପ୍ରସିଦ୍ଧ କଥାଶିଳ୍ପୀ ବନଜ ଦେବୀ ଓ ଡ. ଅରବିନ୍ଦ ରାୟଙ୍କ ମଧ୍ୟରେ ଆଳାପ ହୋଇଥିଲା । ଅପରାହ୍ନରେ “ଓଡ଼ିଆ ସଙ୍ଗୀତ ମଂଚନାଟକ ଓ ସିନେମା: ସ୍ଥିତି ଓ ସମ୍ଭାବନା” ଶୀର୍ଷକ ଦଳଗତ ଆଲୋଚନାରେ ଶ୍ରୀ ଗଦାଧର ପୁଟୀ, ଡ. ସଙ୍ଗୀତା ଗୋସାଇଁ, ଶ୍ରୀ ଦେବାନନ୍ଦ ସୋନୀ, ଡ. ଆଦ୍ୟାଶା ଦାସ ଓ ସୂର୍ଯ୍ୟ ଦେଓ ଆଲୋଚନା କରିଥିଲେ । ସଂଧ୍ୟାରେ ପ୍ରଣମ୍ୟ ସଙ୍ଗୀତ ସାଧିକା ଗୁରୁମା ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ବୃତ୍ତଚିତ୍ର “ନୀଳମାଧବ” ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟର ପ୍ରସିଦ୍ଧ ଲେଖକ, କବି, ସାହିତ୍ୟିକ, ସଙ୍ଗୀତଜ୍ଞ, ସମାଜକର୍ମୀ ଓ ସଂସ୍କୃତିପ୍ରେମୀମାନେ ଉପସ୍ଥିତ ଥିଲେ । ଉତ୍ସବ ଆସନ୍ତାକାଲି ମଧ୍ୟ ଚାଲିବ ।