ଡ଼ିହିରାକୁଳ ଗ୍ରାମରେ ୫୫ ତମ ଫଗୁ ଦଶମୀ ଦୋଳଯାତ୍ରା

ଉଦଳା ବ୍ଲକ ଅଧୀନରେ ଥିବା ସଂସ୍କୃତି ସମ୍ପନ୍ନ ଗ୍ରାମ ଭାବେ ପରିଚିତ ଡ଼ିହିରାକୁଳ ଗ୍ରାମରେ ଫଗୁ ଦଶମୀ ଦୋଳଯାତ୍ରା ସମ୍ପନ୍ନ ହୋଇଛି। ରବିବାର ସନ୍ଧ୍ୟା ୭ ଟା ୩୦ ମିନିଟ ସମୟରେ ନାମ ସଂକୀର୍ତ୍ତନ ଶୋଭାଯାତ୍ରାରେ ଭକ୍ତମାନଙ୍କ ଗହଣରେ ଗ୍ରାମର ଇଷ୍ଟ ଦେବ ଗୋପୀନାଥ ଦେବ ସୁସଜ୍ଜିତ ବିମାନରେ ପ୍ରଥମେ ଦୋଳ ମଣ୍ଡପ କୁ ବିଜେ କରିଥିଲେ। ଦୋଳ ମଣ୍ଡପରେ ନୀତିକାନ୍ତି ପରେ ସନ୍ଧ୍ୟା ଆଳତି କରାଯାଇଥିଲା। ପରେ ଶ୍ରୀ ଜୀଉ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ଏହା ପରେ ପଡୋଶୀ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ଏବଂ କପ୍ତିପଦା ଉପଖଣ୍ଡର ବିଭିନ୍ନ ଗ୍ରାମରୁ ବିମାନ ଯୋଗେ ଶ୍ରୀ ଜୀଉ ଦୋଳ ମଣ୍ଡପରେ ପହଞ୍ଚିଥିଲେ। ସୋମବାର ସକାଳ ୮ ଘଟିକା ସମୟରେ ଦୋଳ ମଣ୍ଡପ ଠାରେ ରାହାସ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ଗାୟକ, ମୃଦଙ୍ଗ ବାଦକ ଯୁଗଳ ଦେବଙ୍କ ରାସକୀର୍ତ୍ତନ ଗାନ କରିଥିଲେ। ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ଙ୍କ ଗହଣରେ ରଙ୍ଗର ପର୍ବ ଅଭିର ଖେଳ ଅନୁଷ୍ଠିତ ହୋଇଥିଲା। ଦୋଳ କମିଟିର ସଭାପତି ହରେକୃଷ୍ଣ ପୃଷ୍ଟି ଙ୍କ ସଭାପତିତ୍ବ କରିଥିଲେ। ସଂଯୋଜକ ଭାବେ ରମେଶ ଚଦ୍ର ପୃଷ୍ଟିଙ୍କ ସହଯୋଗରେ ସମସ୍ତ ଠାକୁର ବିମାନ ବାହକ, ସଂକୀର୍ତ୍ତନ ଓସ୍ତାଦ, ମୃଦଙ୍ଗ ବାଦକ, ସଂକୀର୍ତ୍ତନ ଗାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଯଥାମାନ୍ୟ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ୫୫ ତମ ଫଗୁ ଦଶମୀ ଦୋଳ ଯାତ୍ରାରେ ସର୍ବଶ୍ରୀ ଗ୍ରାମ ମୁଖିଆ ସନ୍ତୋଷ କୁମାର ବେହେରା, ଭୀମ ଚରଣ ପୃଷ୍ଟି, ପଦ୍ମଚରଣ ସାହୁ, ନରେନ୍ଦ୍ର ସାହୁ, ଭିକାରୀ ଚରଣ ପୃଷ୍ଟି, ଭାଗବତ ବେହେରା, ମଧୁସୂଦନ ହାତୀ, ରତିକାନ୍ତ ପାତ୍ରଙ୍କ ସମେତ ଗ୍ରାମର ସମସ୍ତ ଯୁବକ ମହିଳା ଏକତ୍ରିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ୩ ଦିନ ବ୍ୟାପି ଦୋଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ବିଶ୍ୱଜିତ ନାୟକ, ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମୂହ ଦୋଳ ମଣ୍ଡପକୁ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ। ଚଳିତ ବର୍ଷ ସଂକୀର୍ତନ ଗାୟକ ଦୋଳଗୋବିନ୍ଦ ପୃଷ୍ଟି, କମଳାକାନ୍ତ ସାହୁ, ରାମଚନ୍ଦ୍ର ପୃଷ୍ଟି, ପ୍ରଦୀପ କୁମାର ବେହେରା ସଂକୀର୍ତ୍ତନ ଗାନ କରି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲେ।

Leave a Reply

Your email address will not be published. Required fields are marked *