କେମିତି ଭୁଲି ଗଲ…?

କେମିତି ଭୁଲି ଗଲ…?
✍🏼କବିରତ୍ନ ନୂତନ କୁମାର ବେହେରା
କେମିତି ଭୁଲି ଗଲ….?
ତୁମ ସ୍ମରଣରୁ ଏତେ ଗୁରୁତ୍ୱପୂର୍ଣ୍ଣ କଥାଟିଏ
ଭରସା ବିଶ୍ଵାସ ମୋର ତୁଟିଯାଏ
ତୁମ ଉପରେ…ଦ୍ଵନ୍ଦ୍ଵ ଆସେ ମନରେ
ମୋ ହୃଦୟ ମଧ୍ୟ କରି ପାରୁନି ଅଙ୍ଗୀକାର
ଏମିତି ବି କ’ଣ ହୁଏ…?
ଏତେ ଘନିଷ୍ଠତା…ଏତେ ଆତ୍ମୀୟତା
ତୁମର ମୋର ହୋଇ ବି ଗୋଟିଏ ଜୀବନ
ଫରକ୍ ଲାଗୁଛି ଯେମିତି
ଆମ ମଧ୍ୟରେ ରହିଛି ଅସୀମ ଦୂରତା
ଛୁଇଁ ପାରେନା ଯେମିତି ଆକାଶକୁ ବସୁଧା
ଏ କି ପ୍ରକାର ବିଡ଼ମ୍ବନା
ବୁଝି ହୁଏନା… ଅନ୍ତରରୁ ହୁଏ ଅନ୍ତର
କେମିତି ଭୁଲି ଗଲ…?
ଜୀବନ ସହିତ ଜଡ଼ିତ ଶ୍ରଦ୍ଧା ପ୍ରେମ
ମାରାତ୍ମକ ରୋଗର ମହୌଷଧି ଭଳି
ମୁମୂର୍ଷୁ ଅବସ୍ଥାରେ ଅତି ଜରୁରୀ
ପାଣି ବିନା ମାଛର ଜୀବନ
ବାୟୁ ବିନା ଶ୍ଵାସକ୍ରିୟା ଯେ ଅସମ୍ଭବ
ହୃଦବୋଧ କଲ ନାହିଁ କେବେ
ଯେତେ ବି ସଚେତନ କରି ଦେଲେ
ପୂର୍ବପରି ରୁହ ସେମିତି ନିଚେଷ୍ଟ ଅସାବଧାନ
ଭୁଲିବା ଯଦିଓ ଏକ ଅହେତୁକ ଗୁଣ
ଯତ୍ନବାନ ହେଲେ ରହେ ଅପାସୋରା ଅଭୁଲା
ନିଜକୁ ସଂଶୋଧନ କରିବା ହିଁ ତ
ପ୍ରତିଟି ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ
କେମିତି ଭୁଲି ଗଲ…?
ଭାବି ପାରୁନ ଏ ସବୁ କିଛି ବି
ତୁମ ଜୀବନ ମୋ ଜୀବନ ସହିତ ଯୋଡ଼ା
ଯେମିତି ଭକ୍ତ ଓ ଭଗବାନ
ଆତ୍ମା ଓ ପରମାତ୍ମାଙ୍କ ସହିତ ସଂପର୍କ
ଏକ କେନ୍ଦ୍ରବିନ୍ଦୁରେ ମିଳିତ ହେବାର ନିଷ୍ଠା
ପ୍ରକୃତିର ପ୍ରତ୍ୟୟ ନିୟତିର ନିୟମକୁ
ବାରମ୍ଵାର କରି ଚାଲିଛ ଉଲଙ୍ଘନ
ଆଲୋକର ପଥରୁ ଯାଉଛ ଅନ୍ଧକାରକୁ
ଏ ତୁମର ଧୃଷ୍ଟତାର ପ୍ରବଞ୍ଚନା
ନା ଅଜ୍ଞାନ ରହିବାର ଦେଖାଅ ମୂଢ଼ପଣ
ସାଧନାର ପଥ ହୁଡ଼ି ମାୟାରେ ହୁଅ ପ୍ରଭାବିତ
ଲୋଭ ମୋହକୁ କର ନିଜର ସାଥୀ
ସହଜ ସୁବିଧାରେ ପାଇବାକୁ ସୁଖଶ୍ରୀ ସମୃଦ୍ଧି
ଅତ୍ୟାବଶ୍ୟକକୁ ଭାବୁଛ ହେୟ ନଗଣ୍ୟ
ହୃଦୟରେ ଅନୁରାଗ ରଖିବାକୁ
କେମିତି ଭୁଲି ଗଲ…?