ପୁରୀ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

ପୁରୀ ୧୧.୩: ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ସମ୍ପର୍କରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ କରି “ଲକ୍ଷପତି ଦିଦି ” ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ ଯୋଜନା ଓ ଅଭିଯାନ।ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ତାଳବଣିଆ ଜିଲ୍ଲା ପଡିଆ ଠାରେ ଓଡିଶା ଜୀବିକା ମିଶନ ସୌଜନ୍ୟରୁ ଜିଲ୍ଲା ସ୍ତରୀୟ କର୍ମଶାଳା ଲକ୍ଷପତି ଦିଦି ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କର୍ମଶାଳାରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ନିଜ ପରିବାରର ଆର୍ଥିକ ଅଭିବୃଦ୍ଧି ପାଇଁ ପରିଶ୍ରମ କରିଥିବା ଏବଂ ସମାଜ ରେ ନିଜେ ଜଣେ ମହିଳା ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରି ଲକ୍ଷ ପତି ଦିଦି ହୋଇଥିବା ମା ମାନଙ୍କୁ ଶ୍ରୀ ପୃଷ୍ଟି ଶୁଭେଚ୍ଛା ଜଣାଇଥିଲେ। ଦୃଢ଼ ମନୋବଳ ଥିବା ମହିଳା ସଶକ୍ତିକରଣର ଏକ ସୁନ୍ଦର ଉଦାହରଣ ବୋଲି ସେ କହିବା ସହ ଏହା ଅନ୍ୟ ମହିଳା ମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା ଶରତ କୁମାର ବେହେରା, ସଦର ବିଡ଼ିଓ ସମ୍ବିତ ଶତପଥୀ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ ସହ ଆର୍ଥିକ ସମୃଦ୍ଧି ରେ ବର୍ତ୍ତମାନ ର ମା ମାନେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ବୋଲି କହିଥିଲେ।ନିଜର ଦକ୍ଷତା ଓ ପ୍ରଦର୍ଶନ ବଳରେ ଆଗାମୀ ଦିନ ରେ ଜିଲ୍ଲାରେ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହେବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଜୟ କୁମାର ନାୟକ କର୍ମଶାଳା ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ପୁରୀ ଜିଲ୍ଲାରେ ୧୧ ଟି ବ୍ଲକରେ ୭୨୨୬୮ ଲକ୍ଷପତି ଦିଦି ସୃଷ୍ଟିର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୭୦୦ ଲକ୍ଷପତି ଦିଦି ତିଆରି ହୋଇଛନ୍ତି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ। ଯେଉଁମାନଙ୍କ ନିଜସ୍ଵ ବାର୍ଷିକ ଆୟ ୧,୦୦,୦୦୦ ଟଙ୍କା ରୁ ଉର୍ଦ୍ଧ ଅଟେ। ଯେଉଁ ଏସ ଏଚ ଜି ସଭ୍ୟା ମାନଙ୍କର ବାର୍ଷିକ ଆୟ ଏକ ଲକ୍ଷ ରୁ ଅଧିକ କିମ୍ବା ଅତିକମ ରେ ଚାରିଗୋଟି କୃଷି ବା ବ୍ୟବସାୟ ଚକ୍ରରୁ ହାରାହାରି ମାସିକ ଆୟ ୧୦,୦୦୦/- ଟଙ୍କାରୁ ଅଧିକ ହୋଇଥିବା ତାକୁ ଲକ୍ଷ ପତି ଦିଦି କୁହାଯିବ।ବିଭିନ୍ନ ପ୍ରକାର ବ୍ୟବସାୟ,କୃଷି ଯେଭଳି କିରାନା ଦୋକାନ,ମକା ଚାଷ, ଗାଈ,ଛେଳି, ମେଣ୍ଢା ,କୁକୁଡା ପାଳନ, ବ୍ୟୁଟି ପାର୍ଲର, ସିଲେଇ,ଛତୁ ଚାଷ ପରି ଅନେକ ବୃତ୍ତିରେ ଜୀବିକା ନିର୍ବାହ କରି ସଫଳ ହୋଇଥିବା ଲକ୍ଷପତି ଦିଦି ନିଜ ନିଜର ଜୀବିକା ଅର୍ଜନ,ଅନୁଭୂତି ଓ ଉଦ୍ୟମକୁ ସମସ୍ତଙ୍କ ସାମ୍ନାରେ ରଖିଲେ ଓ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀଯୋଗ ଦେଇ ସେମାନଙ୍କ ବିଭାଗ ମାଧ୍ୟମରେ ପ୍ରଣୟନ ହେଉଥିବା ଯୋଜନା ସମ୍ପର୍କରେ ବିଷଦ ଆଲୋଚନା କରି ଏହା ମାଧ୍ୟମରେ ଲକ୍ଷପତି ଦିଦି ହେବାର ପ୍ରଚୁର ସମ୍ଭାବନା ରହିଛି ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା,ମିଶନ ଶକ୍ତି ମା ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ପ୍ରକଳ୍ପ ସଂଯୋଜକ ସ୍ବାଗତିକା ପରିଡା ଧନ୍ୟବାଦ ଦେଇଥିଲେ।