କୋଇଲି ଗାଏ କୁ…କୁଉ…
କୋଇଲି ଗାଏ କୁ…କୁଉ…
🖊କବିରତ୍ନ ନୂତନ କୁମାର ବେହେରା
ବିରାଜିଲେ ଋତୁରାଜ ବସନ୍ତ
ପ୍ରକୃତିରାଣୀର ରୂପରାଜି ଦିଶେ
ଅତି ମନୋହର ଜୀବନ୍ତ
ନବପତ୍ରେ ପତ୍ରଝଡ଼ା ବୃକ୍ଷଲତା ସବୁ
ହୁଅନ୍ତି ପଲ୍ଲବିତ କୁସୁମିତ
ଫୁଲର ହାଟ ବସେ ପଥ ପ୍ରାନ୍ତେ
ମହକି ଯାଏ ମହକ ମୃଦୁ ମଳୟରେ
ସୌନ୍ଦର୍ଯ୍ୟର ସମ୍ଭାର ନେଇ
ଫଗୁଣ ହସେ ମଧୁ ଝରେ ଅବିରତେ
ସରାଗର ଅନୁରାଗେ ଭୂଭାଗେ
ଆବେଗର ଭାବାବେଶେ
ସୂରୁଜ ଉଇଁ ସୁନେଲି ଆଭା ପ୍ରକାଶେ
ମନେ ପ୍ରାଣେ ଖେଦ ନଥାଏ ଆଉ
କୋଇଲି ଗାଏ କୁ…କୁଉ…
ମଧୁର କଣ୍ଠର ବୀଣା ଜିଣା ସ୍ବର
ସାରା ମୂଲକେ ହୁଏ ଗୁଞ୍ଜରିତ
ଫୁଲେ ଫୁଲେ ପ୍ରଜାପତି
ଉଡ଼ି ଉଡ଼ି ମଧୁରସ ଯାଏ ପିଇ
ଶୋଭାର ଭୁବନେ ଭବନ ଝଲସେ
ପ୍ରେମୀଜନ ହୃଦେ ଜାଗେ ଭାବ ପ୍ରୀତି
ବିଧୁର ଜନ ତା’ ସାଥୀ ଖୋଜେ
ଦୂରେ ଥାଇ ପ୍ରିୟ ତାର ପ୍ରିୟାକୁ ଝୁରେ
ଆତ୍ମ ବିଭୋରେ ସପନେ ମଜେ
ଫଗୁ ରଙ୍ଗ ବୋଳି ଦେବାକୁ ଅଙ୍ଗେ
ଆସେ ରଙ୍ଗର ପରବ ହୋଲି
ରଙ୍ଗର ପସରା ମେଲି
ବିଗତ ଦିନର ଦୁଃଖ ବିଷାଦ ଭୁଲି
ହସି ଖେଳେ ଝୁଲି ଝୁଲି
ମନ ବୃନ୍ଦାବନେ କୁଞ୍ଜ ରଚେ
ଶାନ୍ତି ତୃପ୍ତି ଲଭି ଆନନ୍ଦେ ନାଚେ
ସଂକଳ୍ପ କରେ ସୁଖେ ଦିନ ବିତି ଯାଉ
କୋଇଲି ଗାଏ କୁ…କୁଉ…।

କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨