ଏ ଫୁଲ କହି ଦେ ଥରେ
ଏ ଫୁଲ କହି ଦେ ଥରେ
🖊️କବିରତ୍ନ ନୂତନ କୁମାର ବେହେରା
ଏ ଫୁଲ କହି ଦେ ଥରେ……
ତୁ କେମିତି ହେଲୁ ଏତେ କୋମଳ ସୁନ୍ଦର
ରୂପ ଲାବଣ୍ୟରେ ପୁଣି ମହକଭରା ଗୁଣରେ
ସବୁରି ଆଦର ପାଉ ସାରା ସଂସାରରେ
ତୁ କମନୀୟା ଲୋଭନୀୟା ମହନୀୟା ରୂପରେ
ଗୁଣରେ ନିଷ୍ପାପ ନିର୍ମଳ ନିଃଷ୍କଳଙ୍କ ଉଦାର ପବିତ୍ର
ତୁ ସବୁରି ମନଛୁଆଁ ହୃଦୟସ୍ପର୍ଶୀ
ଚାହିଁ ଦେଲେ ଆଖି ରହିଯାଏ ଅପଲକରେ
ମନ୍ତ୍ରମୁଗ୍ଧ କରି ଦେଉ ତୁ ତୋ ହସରେ
ଏ ଫୁଲ କହି ଦେ ଥରେ……
ଅଳପ ଜୀବନ ନେଇ ତୁ ହେଲେ ବି କ୍ଷୁଦ୍ର
ତୋ ଅବଦାନ ସୃଷ୍ଟିରେ ଅନନ୍ୟ ମହାନ
ସମ୍ମୁଖରେ ଅବା ନେପଥ୍ୟରେ ଯେବେ ଫୁଟୁ
ନିର୍ବିକାରରେ ମହକ ବିତରି ଦେଉ ମଳୟରେ
କାହାକୁ ତୁ ମଣୁନା ସାନ ଅବା ତୁଚ୍ଛ ହୀନ
ସଭିଙ୍କୁ ଭଲ ପାଉ… ତୋ ପ୍ରାଣରୁ ଆତ୍ମାରୁ
କାହା ପ୍ରତି ନ ଥାଏ ତୋର ମାନ କି ଅଭିମାନ
ବିଚାର ତୋର ନିରପେକ୍ଷ ସମାନ
ଏ ଫୁଲ କହି ଦେ ଥରେ……
ତୋର ଏ ମହନୀୟ ଶାନ୍ତ ନମ୍ର ଚରିତ୍ର ଜାଣି
ମାନବ ତ ମାନବ… ଦେବାଦେବୀ ମଧ୍ୟ
ତୋତେ ସଦାସର୍ବଦା ପାଆନ୍ତି ସବୁଠୁ ଭଲ
ଲାଗୁ ତୁ ଶୁଭ କାର୍ଯ୍ୟେ ପୂଜା ଅର୍ଚ୍ଚନାରେ
ସତରେ ତୁ ଅନନ୍ୟା ଏ ଅନନ୍ତ ସୃଷ୍ଟିରେ
ବିଧାତା ଗଢ଼ିଛନ୍ତି ତୋତେ ଅଶେଷ ଶ୍ରଦ୍ଧାରେ
ଅସୀମ ଆକର୍ଷଣ ତୋ ଟିକି ତନୁ ମନରେ
ନାହିଁ ତୋର କିଛି ଆଶା ଆସକ୍ତି ହୃଦୟରେ
ଏ ଫୁଲ କହି ଦେ ଥରେ……
ତୁ କେବେ ଜଡ଼ିତ ନ ଥାଉ ଦୁନିଆଁର ସ୍ବାର୍ଥରେ
ସବୁରି ମଙ୍ଗଳ ପାଇଁ ତୁ ଦେଉ ବଳିଦାନ
କେବେ ଖୋଜୁନା କାହାଠୁ ଦାନର ପ୍ରତିଦାନ
ତୋ ଜୀବନ ଉତ୍ସର୍ଗୀକୃତ ସମୂହ କଲ୍ୟାଣରେ
ତୋ ପରି ମୋ ମନ ଆଉ ସବୁରି ମନ
ହୋଇଥାନ୍ତା ଯଦି ଏମିତି ସ୍ଵଭାବ ଚରିତ୍ରର
କାହାରି କିଛି ଦୁଃଖ ନ ଥାଆନ୍ତା ଦୁନିଆଁରେ
ସ୍ଵର୍ଗଠାରୁ ବି ବଳି ଯାଆନ୍ତା ମର୍ତ୍ତ୍ଵ ମହନୀୟତା
ଏ ଫୁଲ କହି ଦେ ଥରେ……।

କୋହି,ବାରିପଦା,ମୟୂରଭଞ୍ଜ।