ଶ୍ରୀପଦେ ଶରଣ
ଶ୍ରୀପଦେ ଶରଣ
ଗୋଲୋକବିହାରୀ ବେହେରା
ଏକାଗ୍ର ମନରେ ହେ ଭକ୍ତ ବତ୍ସଳ
ଶ୍ରବଣ କୀର୍ତ୍ତନ କରେ,
ଧ୍ୟାନ ଆରାଧନା ସମସ୍ତ କରମ
ତୁମରି ପ୍ରୀତି ଅର୍ଥରେ।
କାମନା ବାସନା ତୁଟି ଯାଉ ପ୍ରଭୁ
ପଠନ ଚିନ୍ତନ ଦ୍ଵାରା,
ଜ୍ଞାନର ଆଲୋକେ ମୋହ ନାଶହେଉ
ତୁମେ ମାୟାଧର ପରା।
ଗୀତା ଭାଗବତ ଅମୃତ ପାନରେ
ମଜ୍ଜି ରହୁ ମୋର ମନ,
ଜନମ ମୃତ୍ୟୁର ଆବର୍ତ୍ତ ମଧ୍ୟରୁ
ଉଦ୍ଧାର ହେ ଜନାର୍ଦ୍ଦନ।
ତବ ଲୀଳା ଶୁଣି ହୃଦୟ ମୋହର
ନିର୍ମଳ ପବିତ୍ର ହେଉ,
ପ୍ରଭୁ ସଦା ମୋର ମାନସେ ବିରାଜ
ମାୟା ମୋହ କଟିଯାଉ।
ସକଳ ସନ୍ଦେହ ଦୂର ହୋଇଯାଉ
ବନ୍ଧନ ମୋ ହେଉ କ୍ଷୀଣ,
ଭାଗବତ ପ୍ରେମେ ପାଗଳ ହୁଏ ମୁଁ
ଦିଅ ଶ୍ରୀପଦେ ଶରଣ।

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬