ରାସନ କାର୍ଡରେ ନାଁ ଯୋଡ଼ିବାକୁ ରାତି ଅନିଦ୍ରା

ରାସନ କାର୍ଡରେ ନାଁ ଯୋଡ଼ିବାକୁ ରାତି ଅନିଦ୍ରା; ୧୨୦ ରାସନ କାର୍ଡରେ ନାଁ ଯୋଡ଼ିବାକୁ ରାତି ଅନିଦ୍ରା । ରାତି ୨ଟାରୁ ଲାଗିଛି ଲୋକଙ୍କ ଧାଡ଼ି । ପଞ୍ଜୀକରଣ ଅବଧି ସରି ଆସୁଥିବାରୁ ଏଭଳି ଲମ୍ବା ଲାଇନ୍ ଲଗାଇଛନ୍ତି ଭଦ୍ରକ ଜିଲ୍ଲା ସଦର ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ । ବିଡିଓ ରଶ୍ମି ରଞ୍ଜନ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି, ଦିନକୁ ୧୨୦ ହିତାଧିକାରୀ ଯୋଡ଼ି ହେବେ । ହେଲେ ବ୍ଲକ୍ ସମ୍ମୁଖରେ ୨ ହଜାରରୁ ଅଧିକ ଲୋକ ଧାଡ଼ି ଲଗାଇଛନ୍ତି ।
ରାସନ କାର୍ଡରେ ନାଁ ଯୋଡ଼ିବାକୁ ଭିନ୍ନକ୍ଷମଙ୍କ ଠାରୁ ଆରମ୍ଭ କରି ଗର୍ଭବତୀଙ୍କ ପର୍ଯ୍ୟନ୍ତ ଲାଇନ୍ ଲଗାଉଛନ୍ତି । ଫଳରେ ନାହିଁ ନଥିବା ଭିଡ଼ ଜମୁଛି । ପ୍ରତି ଦିନ ୧୨୦ ଟୋକନ୍ ମିଳୁଥିବା ବେଳେ ୨ ହଜାରରୁ ଅଧିକ ହିତାଧିକାରୀ ଧାଡ଼ି ଲଗାଉଛନ୍ତି । ବ୍ୟବସ୍ଥା ଅନୁଯାୟୀ, ରାସନ କାର୍ଡ ପାଇଁ ଜଣେ ହିତାଧିକାରୀ ପ୍ରଥମେ ଜନସେବା କେନ୍ଦ୍ରରେ ଆବେଦନ କରିବେ । ପରେ ସେହି ଆବେଦନ କାଗଜ ନେଇ ବ୍ଲକରେ ଯାଞ୍ଚ କରାଇବେ । ଯାଞ୍ଚ ପରେ ପୁଣି ଥରେ ଜନସେବା କେନ୍ଦ୍ରରେ ଆବେଦନ କରିବା ପରେ ରାସନ କାର୍ଡରେ ନାଁ ଯୋଡି ହେବ ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଭଦ୍ରକ ବ୍ଲକକୁ ୧,୩୯୦, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୩୫୦ କାର୍ଡ ନୂଆ ପାଇଁ ଅନୁମତି ମିଳିଛି । ପ୍ରତ୍ୟେକ ଦିନ ୧୨୦ ହିତାଧିକାରୀ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ଭିନ୍ନକ୍ଷମ ଓ ଗର୍ଭବତୀ ଥାନ୍ତି ତେବେ ଅଧିକ ୩୦ଜଣ ହିତାଧିକାରୀ ଯୋଡ଼ା ହେବା ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲିକ ।