ଉତ୍ସବ

  🖊️କବିରତ୍ନ ନୂତନ କୁମାର ବେହେରା

ଚଳନ୍ତା ସମୟ କେବେ ଟିକିଏ ଅଟକି
ଆଣେ ନାହିଁ କାହାକୁ ବି ଡ଼ାକି
ଆସ ଭାଇ ବନ୍ଧୁ ଆତ୍ମୀୟସ୍ବଜନ ବୋଲି
ଏକାଠି ବସି ସାଥୀରେ ହସି କରିବା ଖୁସି ଗପ
ସବୁରି ଜୀବନ ତ ବ୍ୟସ୍ତ ବହୁଳ ଏଠି
ଜଟିଳକୁ କରିବା ପାଇଁ ସରଳ
ଜୀବନ ଧାରାରେ ଆଣିବାକୁ ପରିବର୍ତ୍ତନ
ମନଟିଏ ଖୋଜେ ଅବସର ବିନୋଦନର ମୁହୂର୍ତ୍ତ
ସଂସାରକୁ କରିବା ପାଇଁ ମଧୁମୟ
କାହିଁ କେଉଁ କାଳୁ ମଣିଷ କରି ଚାଲିଛି ବ୍ୟବସ୍ଥା
ଶୃଙ୍ଖଳିତ ହେବା ପାଇଁ କରିଛି ନାନା ବିଧାନ
ସୂକ୍ଷ୍ମ ଚିନ୍ତନରେ ରଚନା କରି ଶାସ୍ତ୍ର ପୁରାଣ
ଗ୍ରହ ନକ୍ଷତ୍ରଙ୍କ ଚଳନକୁ ଗଣନା କରି
ନୀତି ନିୟମର ପାଳନେ ତିଆରିଛି ପଞ୍ଜିକା
ଜୀବନ ଯନ୍ତ୍ରଣାରୁ ପାଇବାକୁ ଉପସମ 
ଦେବା ଦେବୀଙ୍କର ପୂଜା ଅର୍ଚ୍ଚନା
ଉପଚାରରେ କରେ ଆରାଧନା ଉପାସନା
ସେ ଶୁଭ ଲଗନକୁ ନାମକରଣ କରିଛି ” ଉତ୍ସବ “
ବର୍ଷର ବାରମାସ ଦିନ ବାର ତିଥି ସ୍ଥିର ଅନୁଯାୟୀ
ସାମାଜିକ ଜୀବନେ କରେ ଉତ୍ସବ ପାଳନ
ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସଂପ୍ରଦାୟ ନିର୍ବିଶେଷରେ
କ୍ରମାଗତ ହୁଏ ନାନା ପ୍ରକାରେ ପର୍ବ ପୁନେଇଁ
ଦେଶ ନେଇ ବେଶ ହୋଇ ଚାଲିଛି ସାରା ବିଶ୍ଵ
କେବେ ଗଣପର୍ବ ରୂପେ ହୁଏ ଉତ୍ସବ
କେବେ ପୁଣି ହୁଏ ପରିବାରରେ ବ୍ୟକ୍ତିଗତ
ହିନ୍ଦୁ ଧର୍ମରେ ହୁଏ ଦୋଳ ଚନ୍ଦନ ଯାତ୍ରା ରଥଯାତ୍ରା
ଦୁର୍ଗାପୂଜା କାଳୀପୂଜା ରାସ ପୂର୍ଣ୍ଣିମା… ଆଦି
ଜନ୍ମଦିନ ବ୍ରତଘର ବିବାହୋତ୍ସବ କେତେ
ବ୍ୟକ୍ତିଙ୍କ ଠାରୁ ସମୂହରେ ହୁଏ ପୁରୁଷାନୁକ୍ରମେ
ଜାତିର ଐତିହ୍ୟ ସଂସ୍କୃତି ପରମ୍ପରା ରଖି ଅକ୍ଷୁଣ୍ଣ
ଉତ୍ସବ ଆଣିଦିଏ ମନ ପ୍ରାଣରେ ଉତ୍ସାହ
ଭାତୃଭାବ ରଖି ଭାଇଚାରର ହୁଏ ବିନିମୟ
ବନ୍ଧୁ ମିଳନରେ ପବିତ୍ର ସଂପର୍କ
ରହିଥାଏ ଚିର ନିବିଡ଼ ଅତୁଟ ମଧୁର
ଉତ୍ସବ ମାନବ ଜାତିର ଗର୍ବ ଗୌରବକୁ ପ୍ରଚାରେ
ଜନସାଧାରଣଙ୍କୁ ଜାଗ୍ରତ କରି ଦିଏ ସୁସନ୍ଦେଶ
ପ୍ରତିଟି ଜୀବନ ପାଇଁ ଜୀବନ ଦର୍ଶନ
ଦିଏ ସୁଖ ଶାନ୍ତି ସନ୍ତୋଷ ତୃପ୍ତି ଆନନ୍ଦ ଉଲ୍ଲାସ
ଉତ୍ସବ ସନ୍ତପ୍ତ ପ୍ରାଣକୁ କରେ ଶୀତଳ
ଜାତୀୟ ସଂହତି ରକ୍ଷାରେ ହୁଅଇ ସହାୟକ
ଉତ୍ସବ ପାଳନେ ଜୀବନ ହୁଏ ରସମୟ।

      କୋହି,ବାରିପଦା,ମୟୂରଭଞ୍ଜ।
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *