ରାଉତରାପୁର ଲୋକନାଥ ମନ୍ଦିର ରେ ଶୀତଳ ଷଷ୍ଠୀ

ରାଉତରାପୁର ଲୋକନାଥ ମନ୍ଦିର ରେ ଶୀତଳ ଷଷ୍ଠୀ
ଯାଜପୁର, ୦୧/୦୬: ପ୍ରତିବର୍ଷ ଭଳି ଚଳିତ ବର୍ଷ ବ୍ୟାସନଗର ନିକଟ ପହଙ୍ଗା ପଞ୍ଚାୟତର ରାଉତରାପୁର ଗ୍ରାମରେ ଥିବା ଲୋକନାଥ ମନ୍ଦିର ରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି। ଚଳିତ ବର୍ଷ ୧୯ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ଅବସରରେ ଆଜି ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମହାରୁଦ୍ରାଭିସେକ, ହୋମଯଜ୍ଞ ଅନୁଷ୍ଠିତ ହେବାପରେ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ଉତ୍ସବ ପାଇଁ ସମଗ୍ର ଅଂଚଳ ଚଳଚଞ୍ଚଳ ହୋଇଥଲା। କନ୍ୟାପିତା ଗିରିଧାରୀ ପ୍ରଧାନ ହୋଇଥିବାବେଳେ ରଙ୍ଗାଧର ବ୍ରହ୍ମ ବର ପିତା ଭାବେ ଯୋଗଦେଇ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ବାଦ୍ୟ, ରୋଷଣୀ, ଘଣ୍ଟ ଓ ମନ୍ତ୍ର ଧ୍ଵନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଏନେଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ଭକ୍ତମାନେ ମହାଦେବ ଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ଯୋଗଦେଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନ ପାଇଁ ଆୟୋଜନ କରାଯାଇଥିଲା। ଏହି ପୂଜା ଉତ୍ସବରେ ନିଜକୁ ସାମିଲ କରି ଶାନ୍ତି ଶ୍ରୁଙ୍ଖଳା ଦାୟିତ୍ଵ ନେଇଥିବା ସଭ୍ୟମାନେ ପ୍ରମୋଦ ସାହୁ, କୁନ ସାହୁ, ଭାସ୍କର ଘଡାଇ, ଗଣେଶ୍ୱର ସାହୁ ବିଜୟ ସାହୁ ଆଶିଷ ରାଉତ, ବାଦଲ ସାହୁ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ।