ଜଳଛତ୍ରରେ ଦୁର୍ନୀତିର ଗନ୍ଧଏତଲା ଦେଲା ବିଜେପି ଯୁବମୋର୍ଚ୍ଚା ଟଙ୍କା ଆତ୍ମସାତ ପାଇଁ କରିଥିଲେ ଜାଲ୍ କାଗଜପତ୍ର

କାକଟପୁର, ୨/୫: କାକଟପୁର ବ୍ଲକରେ ଜଳଛତ୍ର ନାମରେ ଆର୍ଥିକ କେଲେଙ୍କାରୀ ସାମ୍ନାକୁ ଆସିଛି। ଖରାଦିନେ ପଞ୍ଚାୟତ ତରଫରୁ ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ହୋଇଥିବା ଜଳଛତ୍ରରେ ପାଣି ଦେବା ପାଇଁ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ସେମାନଙ୍କୁ ୩ ବର୍ଷ ହେବ ମଜୁରୀ ଦିଆଯାଇ ନାହିଁ। କିନ୍ତୁ ଅର୍ଥ ଉଠାଣ ହୋଇଥିବା ଜଣା ପଡ଼ିଛି। ଜାଲ କାଗଜପତ୍ର ମାଧ୍ୟମରେ ଅର୍ଥ ଉଠାଣ ହୋଇଥିବା ଜଣାପଡିଛି। ଆଜି ଏ ସମ୍ପର୍କରେ ବିଜେପି ଯୁବମୋର୍ଚ୍ଚା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଘଟଣା ସମ୍ପର୍କରେ କାକଟପୁର ବିଡ଼ିଓଙ୍କୁ ଅବଗତ କରାଯିବା ସହିତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସେହିପରି ଏ ସମ୍ପର୍କରେ କାକଟପୁର ଥାନାରେ ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିବା ସହ ଜାଲ କାଗଜପତ୍ର ପ୍ରସ୍ତୁତି, ଟଙ୍କା ଆତ୍ମସାତ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ସରକାରୀ କାଗଜପତ୍ରକୁ ଜାଲିଆତି କରି ଅର୍ଥକୁ ମିଳିମିଶି ଆତ୍ମସାତ୍ କରିଥିବା ଓ ଶ୍ରମିକଙ୍କ ନାଁରେ ମଜୁରୀ ଅର୍ଥ ଉଠାଣ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଦାବି କରିଛି। ଘଟଣା ସମ୍ପର୍କରେ ପୁରୀ ଉପଜିଲ୍ଲାପାଳ, ପୁରୀ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।