ପରିବେଶ ଦିବସରେ ବର ଅଶ୍ବସ୍ତ ବାହାଘର

ପରିବେଶ ଦିବସରେ ବର ଅଶ୍ବସ୍ତ ବାହାଘର।
ବର ଅଶ୍ବସ୍ତ ବାହାଘର ଭୋଜିଭାତ ସହିତ ଧୂମଧାମରେ ପାଳନ କଲେ ଗ୍ରାମବାସୀ।
ବ୍ରହ୍ମଗିରି ୬/୬/୨୫ : ବାଜୁଛି ଢୋଲ ମହୁରୀ ବାଜା ଓ ଶଙ୍ଖ ସାହାନାଇ , ପଲ୍ଲୀ ସୀମନ୍ତିନୀ ଙ୍କ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ରଙ୍ଗବେରଙ୍ଗର କପଡାରେ ସଜିତ ହୋଇଛି ବେଦୀ । ଦୁଇ ପଟେ ବସିଛନ୍ତି କନ୍ଯା ପିତା ଏବଂ ବରପିତା। ହୋମ ଅଗ୍ନି ପ୍ରଜ୍ବଳିତ ହୋଇ ଜଳୁଛି। ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ବ୍ରାହ୍ମଣ ଆହୁତି ଦେଇ ଚାଲିଛନ୍ତି ।
ଯଥା ନଳସ୍ଯ ଦମୟନ୍ତୀ। ରାବଣସ୍ଯ ମନ୍ଦୋଦରୀ। ରାମସ୍ଯ ସୀତା।ସମୁଦା ସମୁଦି ହୋଇ ଦୁଇବନ୍ଧୁ ପରଷ୍ପରକୁ କୋଳାକୋଳି ହେଉଛନ୍ତି । ପୁରୋହିତ ପୁଷ୍ପ ଅକ୍ଷତ ପକାଇ ଆଶୀର୍ବାଦ ଢାଳୁଛନ୍ତି। ଉପସ୍ଥିତ ଅଛନ୍ତି ଉଭୟବରପକ୍ଷ କନ୍ଯା ପକ୍ଷର ବହୁ ଲୋକ। ଭୋଜିଭାତର ବି ଆୟୋଜନ ହୋଇଛି। ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର ।
ହେଲେ ଏ କୌଣସି ମଣିଷ ବାହାଘର ନୁହେଁ କିନ୍ତୁ ଉଭୟ ବର କନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର । ଏଠାରେ ବର ଅଶ୍ବସ୍ତ ବୃକ୍ଷ ମଧ୍ୟରେ ଅନୁଷ୍ଠିତ ହେଉଛି ବାହାଘର। ବାହା ମୁକୁଟ ବାନ୍ଧି ,
ନବ ବସ୍ତ୍ର ପିନ୍ଧି , ଅଳତା ସିନ୍ଦୁର ନାଇ , ଗଳାରେ ବନଫୁଲର ହାର ପକାର ବେଦିର ଏକ ପାଶ୍ବରେ ଦୁଇ ପାଦପ।
ବ୍ରହ୍ମଗିରି ବ୍ଳକର ନହରବାଲି ଗ୍ରାମ । ନୀଳାମ୍ବୁ ଚିଲିକା ଉପକୁଳରେ ଅବସ୍ଥିତ ଏହି ଗ୍ରାମର ମୁଣ୍ଡ ଚିଲିକା ରାସ୍ତା ଧାରରେ ଦୁଇଟି ଗଛ ଲଗାଇଥିଲେ ମୁଣ୍ଡରେ ଦୁଇ ପିଲାଦିନର ସାଙ୍ଗ ଶ୍ରୀ ନାରଣ ସ୍ବାଇଁ ଏବଂ କାଶୀନାଥ ଦଳାଇ । ଗୋଟିଏ ବର ଗୋଟିଏ ଅଶ୍ବସ୍ତ। ଚିଲିକାତଟ ଅଞ୍ଚଳ। ବନ୍ଯା ବାତ୍ଯା ସହିତ ଲୁଣା ଜଳର ପ୍ରଭାବରେ ଗଛଟିଏ ବଢିବା କଷ୍ଟକର। ତା ସହିତ ଗୋରୁ ମଇଁଷିଙ୍କ ପ୍ରଭାବରୁ ଗଛ ଦୁଇଟିକୁ ପିଲାଭଳି ପାଳି ବଡ କରିଥିଲେ। ଏବେ ଗଛ ଦୁଇଟି ବଡହୋଇ ଶାଖାମେଲାଇ ଛାୟା ପ୍ରଦାନ କରୁଛି। ଖରାଦିନେ ଗାଁ ଲୋକଙ୍କ ଗହଳି ଗଛମୂଳରେ। ଚିଲିକା ଆଡୁ ଆସୁଥିବା ଶୀତଳ ପବନ ସାଙ୍ଗକୁ ନିରୁତାପ ଛାଇରେ ଆସର ଜମୁଛି। ଗାଆଁ ବାଲା କୁହନ୍ତି ଏଇ ଗଛ ତଳେ ବସିଲେ ସତେଜ ଶାନ୍ତି ଲାଗୁଛି। ରାସ୍ତା ଧାରରେ ଥିବାରୁ ପଥାଚାରୀ ନିଦାଘରେ ଗଛ ଛାଇରେ ଥକ୍କା ମାରି ବସୁଛନ୍ତି। ଗଛରେ ବିବିଧ ବିହଗଙ୍କ କାକରାଳି ମନକୁ ଜିଣି ନେଉଛିଛି।
ପୁରାଣର ମତ ମତ ଅନୁଯାଇ ବଟ ଏବଂ ଅଶ୍ବସ୍ତ ଦୁଇଟି ଦେବ ବୃକ୍ଷ। ଏହି ଦୁଇ ବୃକ୍ଷରେ ବ୍ରହ୍ମା ବିଷ୍ଣୁ , ମହେଶ୍ବର ଆଦି ଦେବତା ବାସ କରନ୍ତି। ବର ଓସ୍ତ ଲଗାଇ ପାଳିକରି ବଡ କଲେ ବହୁପୁଣ୍ଯ ଲାଭ ହୋଇଥାଏ। ବର ଓସ୍ତ ବାହାଘର ସବୁଠାରୁ ପୁଣ୍ଯ ପ୍ରଦ କାମ ଅଟେ।
ବିଜ୍ଞାନ ଦୃଷ୍ଟିରୁ ଏ ଦୁଇଟି ଗଛ ସବୁଠାରୁ ଅଧିକ ଅମ୍ଳଜାନ ପ୍ରଦାନ କରନ୍ତି ଏବଂ ଅଙ୍ଗାରକ ବିଷ ମଧ୍ଯ ହରଣ କରନ୍ତି। ମୃତ୍ତିକା ସଂରକ୍ଷଣ ତାପମାତ୍ରା ନିୟନ୍ତ୍ରଣ ଆଦିରେ ଏହି ବୃକ୍ଷ ସହାୟକ ହୋଇଥାଏ। ଏହି ବୃକ୍ଷ ବିବାହ ଉତ୍ସବରେ ସମସ୍ତ ଗ୍ରାମବାସୀ ସାମିଲ ଥିବା ବେଳେ ପ୍ରକୃତିବନ୍ଧୁ ପରିବେଶବିତ୍ କାଶୀନାଥ ନାୟକ, ସମାଜ ସେବୀ ଡାକ୍ତର ମନୋରଞ୍ଜନ ରାୟ , ଚରଣ ସ୍ବାଇଁ , ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଛ ଲଗାଇ ବଡ କରି ତାର ବାହାଘର କରି ଭୋଜିଭାତ କରି ସମସ୍ତଙ୍କୁ ଆପ୍ଯାୟିତ କରିଥିବାରୁ ନାରଣ ସ୍ବାଇଁ ଏବଂ ଲୁଙ୍ଗୁଡା ଦଳାଇଙ୍କୁ ସାଧୁବାଦ ଜଣାଇଛନ୍ତି।