ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମରଣସଭା

ବ୍ରହ୍ମପୁର, ତା ୧୭.୬.୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସ୍ଥାନୀୟ ଗିରିରୋଡ ଗୋପବନ୍ଧୁ ଛକ ସ୍ଥିତ ପ୍ରତିମୂର୍ତ୍ତୀରେ ଯଥା ମର୍ଯ୍ୟାଦାର ସହ ସମିତି ସଭାପତି ଆର.ସତ୍ୟ ନାରାୟଣ ରାଓ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ମାଲ୍ୟାର୍ପଣ କରିଥିଲେ l ସମିତି ସମ୍ପାଦକ ଏସ. ସାମ୍ବାସିବା ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମରଣ ସଭାରେ ସହରର ଅନେକ ବୁଦ୍ଧିଜୀବି ଯୋଗଦେଇ ଗୋପବନ୍ଧୁଙ୍କ ବିଷୟରେ ଆଲୋଚନା କରିଥିଲେ l ଉତ୍କଳମଣି ଗୋପବନ୍ଧୁ ଥିଲେ ଏକାଧାରରେ ଜଣେ ମହାନ ସ୍ଵାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସମାଜସେବୀ, କବି, ସାହିତ୍ୟିକ, ଶିକ୍ଷାବିତ୍ ଓ ସାମ୍ବାଦିକ l ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ କର୍ତ୍ତବ୍ୟ ବୋଧିନି ସମିତି ଗଠନ କରି ଗୋପବନ୍ଧୁ ଦାସ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ କରିଥିଲେ l ସେ କହୁଥିଲେ ‘ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ” l ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ l ହଇଜା ରୋଗୀଙ୍କ ସେବା ପାଇଁ ପୁରୀ ସେବା ସମିତି ଗଢ଼ିବା ସହ କଲିକତାରେ ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ଓଡ଼ିଆ ଶ୍ରମିକ ସଂଘ ଗଠନ କରିଥିଲେ l ୧୯୧୭ରୁ ୧୯୨୧ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଓ ୧୯୨୧ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ l

ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ l କାରାଗାରରେ ଥିବା ବେଳେ କାରା କବିତା ଓ ବନ୍ଦୀର ଆତ୍ମକଥା ରଚନା କରିଥିଲେ l ଅନ୍ୟାନ୍ୟ କୃତି ମଧ୍ୟରେ ଧର୍ମପଦ, ନଚିକେତା, ଉପାଖ୍ୟାନ, ଗୋମାହାତ୍ମ୍ୟ ଆଦି ଅନ୍ୟତମ l କଲିକତା ଠାରେ ଟାଇଫୋଏଡ ଜ୍ଵରରେ ଆକ୍ରାନ୍ତ ହୋଇ ସତ୍ୟବାଦୀକୁ ଫେରିଲା ପରେ ୧୯୨୮ମସିହା ଜୁନ ୧୭ ତାରିଖରେ ତାଙ୍କ ଦେହାନ୍ତ ଘଟିଲା l ତାଙ୍କ ଆଦର୍ଶଗତ ରାଜନୈତିକ ଜୀବନଠୁ ବର୍ତ୍ତମାନର ରାଜନେତା ମାନେ ଅନେକ କଥା ଶିଖିବାର ଆବଶ୍ୟକତା ରହିଛି l ତ୍ୟାଗ ଓ ସେବାର ପ୍ରତୀକ ଭାବେ ଗୋପବନ୍ଧୁ ଦାସ ସବୁବେଳେ ପରିଚିତ ଓ ନମସ୍ୟ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଜି ସମାଜସେବୀ ମନୋଜ ତରାଇ, ହୃଷୀକେଶ ପାତ୍ର,ପ୍ରଭାକର ସାହୁ, ଶିକ୍ଷକ ସଂଗଠନ ନେତା ବିଜୟ କୁମାର ବେହେରା, ସୁରେନ୍ଦ୍ର ନାଥ ପଣ୍ଡା,ପି.ନାଗେଶ୍ଵର ରାଓ, ଏମ.ଏସ.ମଲ୍ଲିକ, ବୀରେନ କୁମାର ବେହେରା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରମୋଦ ମହାରଣା, ମହମ୍ମଦ ଆସଲମ୍,ଅଶୋକ ଦଳାଇ ପ୍ରମୁଖ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l