ସୁଗ୍ରୀବଙ୍କ ରଜ୍ୟାଭିଷେକ

ସୁଗ୍ରୀବଙ୍କ ରଜ୍ୟାଭିଷେକ
( ରାଗ — ଚୋଖି )
🖊️କବିରତ୍ନ ନୂତନ କୁମାର ବେହେରା
ସାତକାଣ୍ଡ ରାମାୟଣ ସୀତାରାମ ଦିବ୍ୟ ଣୁଣ
ରଚିଛନ୍ତି ବାଲମିକ ଆଦିରୁ ଅନ୍ତ,
ପଠନେ ଶ୍ରବଣେ ତାର ପାତକ ହୁଅଇ ଦୂର
ମନ ପ୍ରାଣ ରହେ ସଦା ସୁଧାର ଶାନ୍ତ,
ମର୍ଯ୍ୟାଦା ପୁରୁଷ ଶ୍ରୀରାମ
ତାଙ୍କୁ ଭକ୍ତି ଆରାଧନା ପୁଣ୍ୟ କରମ।୧।
ସୀତାଙ୍କୁ ଛଳେ ରାବଣ କରି ନେବାରୁ ହରଣ
ମର୍ମାହତେ ବେନି ଭାଇ ହେଲେ ଦୁଃଖିତ,
ଅରଣ୍ୟେ କରି ଭ୍ରମଣ ଶ୍ରୀରାମ ସଙ୍ଗେ ଲକ୍ଷ୍ମଣ
ଜାନକୀଙ୍କ ସନ୍ଧାନରେ ଥିଲେ ବିବ୍ରତ,
ଜଟାୟୁ ବର୍ଣ୍ଣିଲା ବୃତ୍ତାନ୍ତ
ଶୁଣି ସବୁ ବେନି ଭାଇ ହେଲେ କ୍ରୋଧିତ।୨।
ପାଇ ଶବରୀ ଆତିଥ୍ୟ ନେଉଥିଲେ ଯେତେ ତଥ୍ୟ
ଯାଉଥିଲେ ସୁଗ୍ରୀବଙ୍କ ପାଖକୁ ବେଗେ,
ଋଷ୍ୟମୁଖ ପର୍ବତରେ ଥିଲା ସେ ଗୁପ୍ତ ଭାବରେ
ବାଳୀଠାରୁ ବିତାଡିତ ହୋଇ ଦୁର୍ଭାଗ୍ୟେ,
ରାମ ଲକ୍ଷ୍ମଣଙ୍କୁ ସେ ଦେଖି
ଭାବିଲା ତା’ର ନିଧନେ ଆସନ୍ତି ଏଥି।୩।
ସୁଗ୍ରୀବର କଥା ପାଳି ହନୁମାନ ଯାଇ ମିଳି
ବୁଝିଲେ ସେ ସବିଶେଷ ତାଙ୍କ ବାରତା,
ଜାଣି ପ୍ରଭୁ ଶ୍ରୀରାମଙ୍କୁ ଭକ୍ତିରେ ପ୍ରଣମି ତାଙ୍କୁ
ଜଣାଇଲା ସୁଗ୍ରୀବର ସେ ଦୁରବସ୍ଥା,
ପାଛୋଟି ନେଇ ସେ ଆନନ୍ଦେ
ପ୍ରକାଶିଲେ ଘଟିଛି ଯା’ ଭାତ୍ରୁ ବିବାଦେ।୪।
ଥିଲେ ଦୁହେଁ ସମ ଦୁଃଖେ ସ୍ତ୍ରୀ ଆଉ ରାଜ୍ୟ ବିଷାଦେ
ପରସ୍ପର ଏକ ଯଶା ବିଧି ବିଧାନେ,
ମଧୁର ବିନୟ ବାଣୀ ହୃଦୟ ନେବାରୁ ଜିଣି
ରାମ ସୁଗ୍ରୀବ ମିତ୍ରତା ହେଲା ମିଳନେ,
ପ୍ରାରବ୍ଧର ଥିଲା ସୁକୃତି
ପ୍ରଭୁଙ୍କ ସାଥେ ବନ୍ଧୁତା ସୌଭାଗ୍ୟ ଅତି।୫।
ତହୁଁ ମିଳି ଏକ ସାଥେ ଚଳିଲେ ଯୁଦ୍ଧର ପଥେ
ବାଳୀର ନିଧନେ କଲେ ଗୁପ୍ତ ମନ୍ତ୍ରଣା,
ମହାବୀର ଥିଲା ବାଳୀ ବଧ କରିବେ କିଭଳି
ଯୋଜନା କରି ଉପାୟ କଲେ ଠିକଣା,
ବାଳୀ ସୁଗ୍ରୀବ ଯୁଦ୍ଧ ରତେ
ପଶ୍ଚାତୁ ରାମ ବଧିବେ ଯେ ଶରାଘାତେ।୬।
ସେ ଯୋଜନା ଅନୁସରି ବାଳୀକୁ ନିଧନ କରି
ରାମ କଲେ ସୁଗ୍ରୀବଙ୍କ ଅଭିଷେକ ଯେ,
କିଷ୍କିନ୍ଧ୍ୟାର ରାଜା ହୋଇ ତାରାକୁ ପତ୍ନୀରେ ପାଇ
ରାଜ୍ୟର ପ୍ରଜା ପାଳିଲେ ମଜା ମଉଜେ,
ଘୁଞ୍ଚିଲା ସକଳ ଦୁର୍ଦ୍ଦଶା
ପ୍ରଭୁ ଶ୍ରୀରାମ ଯେ ପୂର୍ଣ୍ଣକଲେ ତା’ ଆଶା।୭।
ମିତ୍ର ଭାବରେ ସୁଗ୍ରୀବ ରଖି ଉତ୍ତମ ସ୍ଵଭାବ
ଅନୁଗତ ରହିଥିଲେ ଜୀବନ ଯାକ,
ବାନର ଜାତିର ମାନ ରଖିଲେ ଚିର ଅମ୍ଳାନ
ଜଗତେ ବିଦିତ ତାହା ଛୁଟେ ମହକ,
ଧନ୍ୟ ସେ ସୁଗ୍ରୀବ ବାନର
ପ୍ରଭୁଙ୍କର ମିତ୍ର ଭାବେ ହେଲା ଅମର।୮।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨