ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଂଘ

ବ୍ରହ୍ମପୁର-(22/06) ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଠିକା ସଂସ୍ଥା ଜରିଆରେ କାର୍ଯ୍ୟରତ ଲକ୍ଷାଧିକ ଆଉଟସୋରସିଂ କର୍ମଚାରୀ ସରକାରଙ୍କ ଦ୍ୱାରା ପୁଣି ଅବହେଳିତ ହୋଇଛନ୍ତି I ବର୍ତ୍ତମାନ ଡବଲ ଇଂଜିନ ସରକାର ଏକବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ବିରୋଧି ଦଳ ନେତା ଥିବା ସମୟରେ ଏହି କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶୃତି ପ୍ରାୟ ଭୁଲି ଯାଇଛନ୍ତି ଏବଂ ଓଲଟା ବର୍ତ୍ତମାନ ରାଜ୍ୟର ବିଭାଗ ଗୁଡିକରେ କିଛିମାତ୍ରାରେ ନିଯୁକ୍ତି ଦେବା ନାମରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ଏହି ଆଉଟସୋରସିଂ କର୍ମଚାରୀମାନଙ୍କୁ ଛଟେଇ କରିବା ପ୍ରକ୍ରିୟା ପ୍ରାୟ ଜାରି ରହିଛି I ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ପୂର୍ବ ସରକାର ବହୁ ଦାବି ପରେ କେତେକ ସୁବିଧା ଘୋଷଣା କରିଥିଲେ ମଧ୍ୟ ତାହା ସବୁ କରର୍ମଚାରୀଙ୍କ ଦିଆଗଲାନି । ଅଧିକାଂଶ ଆଉଟସୋର୍ସିଂ କର୍ମଚାରୀ ଏଥିରୁ ବଞ୍ଚିତ ହୋଇଥିବା ବେଳେ ବର୍ତ୍ତମାନ ସରକାର ମଧ୍ୟ ସେମାନଙ୍କୁ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି I ଏହାକୁ ନେଇ ଆଜି ସଙ୍ଘର କାର୍ଯ୍ୟକାରୀ କମିଟି ବୈଠକରେ ଅସନ୍ତୋଷ ପ୍ରକାଶ କରାଯିବା ସହ ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ସରକାର ଯଦି ଦାବୀ ପୂରଣ ନ କରନ୍ତି ତେବେ ସବୁ ଜିଲ୍ଲାରେ ଆଉଟସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ମହାସଂଘର ନେତା ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି I

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ଆଉଟସୋର୍ସିଂ କର୍ମଚାରୀଙ୍କ ରାଜ୍ୟସ୍ତରୀୟ ଆନ୍ଦୋଳନ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା କରିଥିଲେ । ପନ୍ଦର ଦିନ ମଧ୍ୟରେ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ କରାଯାଇନାହିଁ ।ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆବାହକ ପ୍ରତାପ ପ୍ରଧାନ, ମହାସଙ୍ଘର ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ, ଆଦର୍ଶ ବିଦ୍ୟାଳୟ କର୍ମଚାରୀ ରାଜ୍ୟ ନେତା ପ୍ରଶାନ୍ତ ପରିଛା, ବିନାୟକ ପତି, ସଫେଇ କର୍ମଚାରୀ ନେତା ଉତ୍ତମ ନାୟକ, ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଦାସ, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ନେତା ହିମାଂଶୁ ପଟ୍ଟନାୟକ, ବିଚିତ୍ର ସାହୁ, ନମିତା ନାୟକ, ପୂଜା ନାୟକ, ପ୍ରେମାନନ୍ଦ ସାହୁ, ରାହୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I