ଅଭାଗା ମଣିଷ ମୁହିଁ

*ଅଭାଗା ମଣିଷ ମୁହିଁ *


*ପ୍ରେମାନନ୍ଦ ବେହେରା*

ପଥରେ ରଥରେ ବଡ଼ଦାଣ୍ଡ ପରେ
ଯାଇଛ ମାଉସୀ ଘର
ସାଙ୍ଗରେ ନେଇଛ ଭାଇ ଭଉଣୀଙ୍କୁ
ଶ୍ରୀହୀନ କରି ମନ୍ଦିର ।।

ସାରା ଜଗତରେ ପାଳନ ହେଉଛି
ତୁମରି ରଥ ଯାତରା
ଏ ମର୍ତ୍ତ୍ୟ ମଣ୍ଡଳେ ପ୍ରସିଦ୍ଧ ଅଟଇ
ନବ ଦିନାତ୍ମକ ଯାତ୍ରା ।।

ମାଉସୀକୁ କଥା ଦେଇଥିଲ ତୁମ୍ଭେ
କଥା ରଖିଲ ଗୋସାଇଁ
ରତ୍ନବେଦୀଠାରୁ ଜନ୍ମବେଦୀ ଯାଏଁ
ଆସିଲ ହେ ପ୍ରଭୁ ଧାଇଁ ।।

ମାଉସୀର ଖୁସି କହିଲେ ନ ସରେ
ତଳେ ପଡୁନାହିଁ ପାଦ
ପୋଡ଼ପିଠା ଧରି ଖୋଇଦିଏ ନିଜେ
ଅଶ୍ରୁ ପ୍ରେମେ ଗଦ ଗଦ ।।

ରାଇଜ ଯାକର ଭକ୍ତ ଆସିଛନ୍ତି
ପୁରୀ କରିଛନ୍ତି ଘର
ବଡ଼ଦାଣ୍ଡ ଦେଖ ଉଛୁଳି ପଡୁଛି
ନାହିଁ ଖରା ବର୍ଷା ଡର ।।

ବରଷକେ ଥରେ ପୁଣ୍ୟପଥ ପରେ
ଗଡିଯାଏ ତିନି ରଥ
ଚତୁର୍ଦ୍ଦିଗେ ଖାଲି ହୁରି ପଡୁଥାଏ
ଜୟ ଜୟ ଜଗନ୍ନାଥ ।।

ଭାଗ୍ୟରେ ନ ଥିଲା ବୋଲିରେ କାଳିଆ
ଶଙ୍ଖକ୍ଷେତ୍ର ଗଲିନାହିଁ
ଛୁଇଁ ପାରିଲିନି ତୋ ରଥ ଦଉଡି
ଅଭାଗା ମଣିଷ ମୁହିଁ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *