ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୈଠକ

ପୁରୀ- ତା. ୨୫.୦୪.୨୦୨୨– ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଭଣ୍ଡାରିକୁଦା ଠାରେ ଥିବା ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବ୍ରହ୍ମଗିରି ବ୍ଲକର ୫୯ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହିତ ବ୍ରହ୍ମଗିରି ବ୍ଲକର ୬୯ ଗୋଟି ଗ୍ରାମ ଏବଂ କୃଷ୍ଣପ୍ରସାଦ ବ୍ଲକର ୩୦ ଗୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୁସୁପୁର ଠାରେ ଥିବା ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣଧିନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହା ପରେ ମଧ୍ୟାହ୍ନରେ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତ ରେ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବ୍ରହ୍ମଗିରି ବ୍ଲକ ଭଣ୍ଡାରିକୁଦା, ରାଏବିଧାର, ଗୋଲରା, ବ୍ରାହ୍ମଣିଆ ଓ ଦାମୋଦର ପୁର ୫ଗୋଟି ଜୋନ ୫୯ ଗୋଟି ଗ୍ରାମର ବାକି ରହିଥିବା କିଛି ଗ୍ରାମକୁ ପାଇପ୍ ସଂଯୋଗ କରି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବ୍ରହ୍ମଗିରି ବ୍ଲକର ଆମ୍ବପଡା, ରେବଣା ନୂଆଗାଁ ଓ କୃଷ୍ଣପ୍ରସାଦ ବ୍ଲକର ପଣସପଦା ଗ୍ରାମରେ ପ୍ରକଳ୍ପକୁ ନେଇ ଉପୁଜିଥିବା ଜମିଜମା ସମସ୍ୟା କୁ ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ସବିଶେଷ ଆଲୋଚନା କରାଯାଇଛି । ଏହି ବୈଠକରେ ଗ୍ରାମ୍ୟ ପାନୀୟଜଳ ଯୋଗାଣର ସର୍ବୋଚ୍ଚ ଯନ୍ତ୍ରୀ ସର୍ବେଶ୍ଵର ବାରିକ, ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକ, ଉପ ସହକାରୀ ଯନ୍ତ୍ରୀ ସତ୍ୟଜିତ ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଜମ୍ବେଶ୍ଵର ସାହୁ ଓ ସମିତି ସଭ୍ୟା କରିସ୍ମା ସେଠୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *