ପୁରୀ ଜିଲ୍ଲା ସ୍ତରୀୟ ୪ ଦିନିଆ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ

ପୁରୀ ୭/୨- ପୁରୀ ଶରଧାବାଲି ଠାରେ ୪ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ ଆଜି ଅପରାହ୍ନ ରେ ଉଦଘାଟିତ ହୋଇ ଯାଇଛି।ଏହାକୁ ଉଦଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶ କୃଷି ଓ କୃଷକ ର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ।କର୍ଣ୍ଣାଟକ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯିଏ କୃଷି ବଜେଟ ଉପସ୍ଥାପନ କରୁଛି।୨୦୦୦ ରୁ ୨୦୨୩ ମଧ୍ୟରେ କୃଷି ବଜେଟ ରେ ୬ ଗୁଣା ବଢିଛି।କାଳିଆ, ବଳରାମ ଯୋଜନା କୃଷକ ମାନଙ୍କ ପାଇଁ ପ୍ରଣୟନ କରାଯାଇଛି।ସବସିଡ ମଧ୍ୟ ପ୍ରଦାନ କରାଯାଇଛି।ତେବେ କୃଷି କର୍ମଚାରୀ ମାନେ ଏହି ସବୁ ବ୍ୟବସ୍ଥା ଓ ଅଣଧାନ ଚାଷ ସମ୍ପର୍କରେ, ବୈଷୟିକ ଜ୍ଞାନ ଉପଯୋଗ ସମ୍ପର୍କରେ କୃଷକ ମାନଙ୍କୁ ଅବଗତ ଓ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ। ସୂଚନା ପ୍ରଯୁକ୍ତି, କ୍ରିଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ବିଗତ ୧୦ ବର୍ଷ ମଧ୍ୟରେ କୃଷି ରେ ଅନେକ ଉନ୍ନତି ହୋଇଛି।ପାରମ୍ପରିକ କୃଷି ବଦଳରେ ଆଧୁନିକ ପ୍ରଣାଳୀ ରେ ଚାଷ ପାଇଁ କୃଷକ ମାନେ ଆଗଭର ହେଲେଣି।ଚାଷୀ ମାନଙ୍କ ଆୟ ଦ୍ବିଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଆଧୁନିକ କୃଷି ପ୍ରଣାଳୀ, ଆଧୁନିକ କୃଷି ଯନ୍ତ୍ରପାତି, ମିଶ୍ରିତ ଚାଷ ଉପରେ କୃଷକ ମାନେ ପଦକ୍ଷେପ ନେବା, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ ଉପଯୋଗ ଓ ପରିଚାଳନା, ଉନ୍ନତ ଯାନ୍ତ୍ରିକରଣର ବିକାଶ ଓ ସୁଯୋଗ ନେବାପାଇଁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ କୃଷି ଓ କୃଷକ ର ଉନ୍ନତି ପାଇଁ ଏହି ମେଳା ସହାୟକ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।ଜିଲ୍ଲାପାଳ ସମର୍ଥ ବର୍ମା ମେଳାର ସଫଳତା କାମନା କରିବା ସହ କୃଷକ ମାନଙ୍କୁ ଏହି ମେଳାର ସୁଫଳ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଏଥିରେ ସଭାପତିତ୍ୱ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବ୍ରଜ କିଶୋର ହୋତା, ବ୍ଲକ କୃଷି ଅଧିକାରୀ ପିୟୁଷ ବଲ୍ଲଭ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ କୃଷି ମେଳାକୁ ଉଦଘାଟନ କରିଥିଲେ।କୃଷି ମେଳାରେ ୬୩ ଟି କୃଷି ଓ କୃଷି ଯନ୍ତ୍ରପାତି ଷ୍ଟଲ ଏବଂ ୪ଟି ଖାଦ୍ୟ ଷ୍ଟଲ ଖୋଲା ଯାଇଛି।ଏହି ମେଳା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମ ରେ ଆତ୍ମା କମିଟି ର ଅଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ,କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *