ପୁଟିନ୍‌ଙ୍କୁ ବିଦେଶରେ ଗିରଫ ଅର୍ଥ ‘ଯୁଦ୍ଧ ଘୋଷଣା’

ମସ୍କୋ,୨୩।୩: ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇସିସିର ଏହି ଆଦେଶ ଉପରେ ରୁଷିଆ ସରକାର ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ରୁଷିଆର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ଆଇସିସି କାର୍ଯ୍ୟାଳୟରେ କ୍ଷେପଣାସ୍ତ୍ର ନିକ୍ଷେପ କରିବେ ବୋଲି ଧମକ ଦେଇଛନ୍ତି। ଏଥିସହ ସେ ପାଶ୍ଚାତ୍ୟ ଦେଶମାନଙ୍କୁ ମଧ୍ୟ ଆଉ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆଇସିସି ଦ୍ୱାରା ଜାରି କରାଯାଇଥିବା ୱାରେଣ୍ଟ ପରେ ବିଦେଶରେ ଯଦି ରୁଷିଆ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଏ ତେବେ ରୁଷିଆ ଏହାକୁ ଯୁଦ୍ଧ ଘୋଷଣା ରୂପେ ଦେଖିବ। ଏଭଳି କୌଣସି ଦୁଃସାହସିକ କାର୍ଯ୍ୟ ‘ଯୁଦ୍ଧର ଡାକରା’ ଦେବ ବୋଲି ଡିମିଟ୍ରି ମେଡଭେଡେଭ କହିଛନ୍ତି। ଯଦି ପୁଟିନ୍‌ଙ୍କୁ ଗିରଫ କରାଯାଏ ତେବେ ରୁଷିଆ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରିବ ନାହିଁ ବୋଲି ବୁଧବାର ବିଳମ୍ବିତ ରାତିରେ ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ହେଗ ସ୍ଥିତ ଆଇସିସି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ୟୁକ୍ରେନରେ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *