ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ବଧୂ ହତ୍ୟାକୁ ନେଇ ଚାରିଆଡ଼େ ଜୋର୍ ଧରୁଛି । ଉକ୍ତ ଗ୍ରାମର ରଞ୍ଜିତ ଜେନାଙ୍କ ପତ୍ନୀ ମାମାଲି ପରିଜା ( ଟିକିନା) ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଗ୍ରାମରେ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଆଜି ସକାଳ ୧୧ ଟା ସମୟରୁ ମାମାଲିଙ୍କ ମୃତ ଦେହ ଏବେ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଡ଼ି ରହିଥିବାର ଦେଖିବାକୁ ମିଳିଛି । ଏନେଇ ମାମାଲିଙ୍କ ଭାଇ ସ୍ନେହାସିସ ପରିଜା ଥାନାରେ ଏତଲା ଦେଇଛନ୍ତି ।

ଉକ୍ତ ଏତଲା ମୁତାବକ ମାମାଲି ୨୦୧୮ ମସିହାରେ ପାରମ୍ପରିକ ରୀତିନୀତି ଅନୁସାରେ ତେଲସରା ଗ୍ରାମର ରଞ୍ଜିତ ଜେନାଙ୍କୁ ବିବାହ କରିଥିଲେ । ବିବାହ ଦିନଠାରୁ ଶାଶୁ ଘର ଲୋକେ ତାଙ୍କ ଭଉଣୀକୁ ଯୌତୁକ ଜନିତ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି । ପରିବାର ଲୋକେ ମିଶି ମୋ ଭଉଣୀକୁ ମରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ମୃତ ଦେହ ପଡ଼ି ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ବୋଲି ଏସ ଡି ପି ଓ ରମେଶ ଚନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ତରଫରୁ ଫୋର୍ସ ମୁତୟନ ହୋଇଥିବା ବେଳେ ନ୍ୟାୟ ପାଇବା ପାଇଁ ମାମାଲି ପରିବାରର ଲୋକେ ଚାହିଁ ବସିଛନ୍ତି । ସୂଚନା ଥାଉକି ଗତ ମାସରେ ନାଉଗାଁ ଅଞ୍ଚଳରେ ଏକ ବଧୂ ହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ।

ନାଉଗାଁ ରୁ ମାନସ କୁମାର ସ୍ୱାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *