ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆମେରିକାର ପ୍ରତିକ୍ରିୟା, ଆଇନକୁ ସମ୍ମାନ ଏବଂ ନ୍ୟାୟପାଳିକାର ସ୍ବାଧୀନତା ଯେକୌଣସି ଗଣତନ୍ତ୍ରର ମୂଳଦୁଆ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏକ‌ ମାନହାନି ମାମଲାରେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ଏବେ ଏହି ପ୍ରସଙ୍ଗରେ ଆମେରିକାର ପ୍ରତିକ୍ରିୟା ଆସିଛି । ଆମେରିକା ବିଦେଶ ମନ୍ତ୍ରାଳୟ କହିଛି ଯେ ଆଇନକୁ ସମ୍ମାନ ଏବଂ ନ୍ୟାୟପାଳିକାର ସ୍ବାଧୀନତା ଯେକୌଣସି ଗଣତନ୍ତ୍ରର ମୂଳଦୁଆ ହୋଇଥାଏ । ଭାରତୀୟ ଅଦାଲତରେ ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ଆମେ ନଜର ରଖିଛୁ ।

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ ଉପ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ଓ‌ ଆମେରିକା ବାକ୍ ସ୍ୱାଧୀନତା ସହ ମାନବାଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଆସୁଛୁ । ଏହି ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ ଆଲୋଚନାରେ ବି ସ୍ଥାନ ପାଇଥାଏ । ରାହୁଲ ଗାନ୍ଧୀ ପ୍ରସଙ୍ଗରେ ଭାରତ ସହ ଆମେରିକା ଆଲୋଚନା କରିଛି କି ବୋଲି ଏକ ପ୍ରଶ୍ନରେ ସେ କହିଥିଲେ ଯେ ଏହି ବିଷୟରେ ବର୍ତ୍ତମାନ ତାଙ୍କର କିଛି କହିବାର ନାହିଁ।ସୂଚନା ଯେ, ଏକ ମାନହାନୀ ମାମଲାରେ‌ ଗୁଜରାଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା । ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ଜନସଭାରେ ରାହୁଲ ଗାନ୍ଧୀ ‘ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ରହିଛି’ ବୋଲି କହିଥିଲେ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ନିରବ ମୋଦୀ ଓ ଲଳିତ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିଥିଲେ। ରାହୁଲ ଗାନ୍ଧୀଙ୍କ ଏପରି ବୟାନ ନେଇ ସୁରଟ ଓ୍ବେଷ୍ଟର ପୂର୍ବତନ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏହି କଂଗ୍ରେସ ନେତାଙ୍କ ବିରୋଧରେ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ । ରାହୁଲଙ୍କ ବୟାନ ସମଗ୍ର ମୋଦୀ ସମୁଦାୟକୁ ଆଘାତ ଦେଇଛି ବୋଲି ସେ ତାଙ୍କ ଅଭିଯୋଗରେ କହିଥିଲେ ।

Leave a Reply

Your email address will not be published. Required fields are marked *