ପ୍ରଜ୍ଞାନଙ୍କ ବଡ଼ ଖୁଲାସା ! କ୍ରିକେଟ୍ କିଟ୍ କିଣିବା ପାଇଁ କ୍ଷୀର ପ୍ୟାକେଟ୍ ବିକୁଥିଲେ ହିଟମ୍ୟାନ୍ ରୋହିତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବର୍ତ୍ତମାନ କ୍ୟାରିୟର ଶୀର୍ଷରେ ଅଛନ୍ତି। ସେ ନିଜ କ୍ୟାରିୟରରେ ପ୍ରାୟ ସବୁକିଛି ହାସଲ କରିଛନ୍ତି । ଭାରତୀୟ କ୍ରିକେଟର ମହାନ ଖେଳାଳିଙ୍କ ମଧ୍ୟରେ ରୋହିତଙ୍କ ନାମ ଆସେ। କିନ୍ତୁ ହିଟମ୍ୟାନ ହେବା ଯାଏ ରୋହିତଙ୍କ ଯାତ୍ରା ଆଦୌ ସହଜ ନଥିଲା। ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଉତ୍ଥାନ-ପତନ ଦେଇ ଗତି କରିଛି । ତେବେ ଅନ୍ତର୍ଜାତୀୟ ପଦାର୍ପଣ ପୂର୍ବରୁ ରୋହିତଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । ଏପରିକି କିଟ୍ କିଣିବା ପାଇଁ ରୋହିତଙ୍କୁ ଏକଦା କ୍ଷୀର ବିକିବାକୁ ପଡ଼ିଥିଲା ବୋଲି ତାଙ୍କ ପୂର୍ବତନ ସାଥୀ ଖେଳାଳି ତଥା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ଜିଓ ସିନେମାକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଜ୍ଞାନ କହିଛନ୍ତି, ‘ଯେତେବେଳେ ମୁଁ ଅଣ୍ଡର-୧୫ ନ୍ୟାସନାଲ କ୍ୟାମ୍ପରେ ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କୁ ଭେଟିଥିଲି, ସେତେବେଳେ ସମସ୍ତେ କହୁଥିଲେ ଯେ ସେ ଜଣେ ‘ସ୍ପେଶାଲ’ ଖେଳାଳି । ସେଠାରେ ମୁଁ ତାଙ୍କ ବିପକ୍ଷରେ ଖେଳି ତାଙ୍କ ୱିକେଟ୍ ମଧ୍ୟ ନେଇଥିଲି। ରୋହିତ ଜଣେ ଖାଣ୍ଟି ବମ୍ବେ ପିଲା ଥିଲେ ଯିଏ ବେଶି କଥା କହୁନଥିଲେ । କିନ୍ତୁ ଖେଳିବାବେଳେ ବେଶ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଥିଲେ । ଆମେ ପରସ୍ପରକୁ ମଧ୍ୟ ଜାଣି ନଥିଲୁ | ହେଲେ ପରେ ଆମ ବନ୍ଧୁତା ବଢିବାକୁ ଲାଗିଥିଲା ।

ପ୍ରଜ୍ଞାନ ଆହୁରି ମଧ୍ୟ କହିଛନ୍ତି, ‘ରୋହିତ ଶର୍ମା ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ମୋର ମନେ ଅଛି ଥରେ ସେ ଭାବପ୍ରବଣ ହୋଇ କହିଥିଲେ ଯେ କ୍ରିକେଟ୍ କିଟ୍ କିଣିବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ଏଥିପାଇଁ ସେ ବୁଲି ବୁଲି କ୍ଷୀର ପ୍ୟାକେଟ୍ ବିକିଥିଲେ । ଏସବୁ ବହୁତ ତଳ ଦିନର କଥା । କିନ୍ତୁ ସେ କିଟ୍ କିଣିବା ପାଇଁ କ୍ଷୀର ପ୍ୟାକେଟ୍ ବିକି ପଇସା ଯୋଗାଡ଼ କରିଥିଲେ । ବର୍ତ୍ତମାନ ଯେତେବେଳେ ମୁଁ ତାଙ୍କୁ ଦେଖେ, ମୁଁ ଗର୍ବିତ ଅନୁଭବ କରେ ଯେ ଆମ ଯାତ୍ରା କିପରି ଆରମ୍ଭ ହୋଇଥିଲା ଓ ଏବେ ଆମେ କେଉଁଠାରେ ପହଞ୍ଚିଛୁ |

ପ୍ରଜ୍ଞାନ ଓ ରୋହିତ ଜୁନିଅର ସ୍ତରରୁ ପରସ୍ପରକୁ ଜାଣିଛନ୍ତି । ଏହାଛଡ଼ା ଆଇପିଏଲର ଉଦଘାଟନୀ ସଂସ୍କରଣରେ ଉଭୟ ଡେକାନ୍ ଚାର୍ଜର୍ସ ପାଇଁ ଏକାଠି ଖେଳିଥିଲେ । ଏହାପରେ ପ୍ରଜ୍ଞାନ ଓ ରୋହିତ ଏକାଠି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ​​।

ରୋହିତ ଶର୍ମା ୨୦୦୭ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ୪୯ଟି ଟେଷ୍ଟରେ ୯ ଶତକ ଏବଂ ୧୪ ଅର୍ଦ୍ଧଶତକ ସହ ୩୩୭୯ ରନ୍ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ରୋହିତ ୨୪୩ ଦିନିକିଆରେ ୩୦ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ସହ ୯୮୨୫ ରନ୍ କରିଛନ୍ତି । ଏହାଛଡ଼ା ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ୧୪୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୪ଟି ଶତକ ଓ ୨୯ ଅର୍ଦ୍ଧଶତକ ସହାୟତାରେ ୩୮୫୩ ରନ୍ ସଂଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *