ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ : ପ୍ରଥମ ଦିନରେ ଧରାପଡ଼ିଲେ ୮୪ ନାବାଳକ, ଗଞ୍ଜାମରୁ ସର୍ବାଧିକ

କଟକ : ରାଜ୍ୟରେ ୧୮ବର୍ଷରୁ କମ୍‌ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଲାଇ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଛନ୍ତି। ସେମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ୧୦ ଦିନ ବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।

ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ରାଜ୍ୟ ପରିବହନ ବିଭାଗର ନାବାଳକ ଚାଳକ ଧରପଗଡ଼ ଅଭିଯାନର ପ୍ରଥମ ଦିନରେ ୮୪ଜଣ ନାବାଳକ ଗାଡି ଚାଳନା କରି ଧରାପଡିଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ ନାବାଳକ ଧରାପଡ଼ିଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ -ଏସ୍‌ଟିଏ ଟିମ୍ ପୋଲିସ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରିଥିଲେ। ଶତାଧିକ ଚାଳକ ମୋଟରଯାନ ଆଇନକୁ ବେଖାତିର କରି ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା।

ନାବାଳକ ଚାଳକ ଧରପଗଡ ଅଭିଯାନର ପ୍ରଥମ ଦିନରେ ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ, ରାଉରକେଲାରୁ ୧୧, ବାଲେଶ୍ବରରୁ ୯, କଟକରୁ ୭, ବଡବିଲ, କଳାହାଣ୍ଡି, ଝାରସଗୁଡା, ଭୁବନେଶ୍ବର-୨ରେ ୫ଜଣ ଲେଖାଏଁ ଧରାପଡିଥିବା ବେଳେ ଢେଙ୍କାନାଳ, ରାୟଗଡା, ଯାଜପୁର, ସମ୍ବଲପୁରରେ ୩ଜଣ, ଭଞ୍ଜନଗର, କୋରାପୁଟ, ଚଣ୍ଡିଖୋଲରେ ୨ଜଣ ଲେଖାଏଁ ଓ ବରଗଡ଼, ଭୁବନେଶ୍ବର-୧, ନୂଆପଡା, ତାଲଚେର, ନବରଙ୍ଗପୁର, ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ ନାବାଳକ ଗାଡି ଚଳାଇ ଧରାପଡ଼ିଛନ୍ତି।

ଏହି ଅଭିଯାନ ଏପ୍ରିଲ ପ୍ରଥମ ସପ୍ତାହ ପାର୍ଯ୍ୟନ୍ତ ଜାରି ରହିବ। ନାବାଳକ ଚାଳକଙ୍କ ସମେତ ହେଲମେଟ୍‌ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚାଳନା, ବିପରୀତ ରାସ୍ତାରେ ଗାଡ଼ି ଚାଳନା, ମୋବାଇଲ ଫୋନ୍‌ ବ୍ୟବହାର କରି ବହୁ ଚାଳକ ଧରାପଡିଥିଲେ। ବିଭିନ୍ନ ଜିଲାରେ ସକାଳେ ଓ ରାତି ସମୟରେ ଯାଞ୍ଚ ପ୍ରକ୍ରୀୟା କରାଯାଇଥିଲା। ଗତକାଲି ନାବାଳକ ଗାଡ଼ିଚାଳକଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯିବା ସହ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ନେଇ ସତର୍କ କରାଯାଇଥିଲା। ଏପରିକି ଯଦି ଜଣେ ନାବାଳକ ନିୟମ ଅମାନ୍ୟ କରି ଗାଡ଼ିଚଳାଇ ଧରାପଡ଼ନ୍ତି, ତେବେ ତାଙ୍କର ଲାଇସେନ୍ସ (ଗାଡ଼ିଚାଳନା ଅନୁମତି) ତାଙ୍କୁ ୨୫ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି। ବିଭାଗ ପକ୍ଷରୁ ବିଶେଷ କରି ଶିକ୍ଷାନୁଷ୍ଠାନ ଥିବା ସ୍ଥାନଗୁଡ଼ିକରେ ଯାଞ୍ଚ କରାଯାଇଛି।

Leave a Reply

Your email address will not be published. Required fields are marked *