ଆଜି ଦୁବାଇ ବିମାନ ଯାତ୍ରା ପାଇଁ ଟିକେଟ୍ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମେ ୧୫ରେ ଭୁବନେଶ୍ୱରରୁ ଉଡ଼ିବ ପ୍ରଥମ ବିମାନ
ଭୁବନେଶ୍ୱର : ସଫଳ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଆଉ ଏକ ସ୍ୱପ୍ନ । ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଭୁବନେଶ୍ୱରରୁ ସିଧାସଳଖ ଆରମ୍ଭ ହେବ ଦୁବାଇକୁ ବିମାନ ଉଡ଼ାଣ । ଶନିବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଉଡିବାକୁ ଥିବା ବିମାନ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିବେ । ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିବା ବେଳେ ଶନିବାରଠୁ ଏଥିପାଇଁ ଟିକେଟ ବୁକିଂ ଆରମ୍ଭ କରାଯିବ ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବା ସହ ଚଳିତ ବର୍ଷ ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବ । ଏହା ପରେ ପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍କୁ ମଧ୍ୟ ଇଣ୍ଡିଗୋ ବିମାନ ସିଧାସଳକଖ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି । ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା । ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି । ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତି ଉପରେ ମୋହର ମାରିଥିଲା । ତେବେ କୋଭିଡ୍ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଥିଲା । କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ । ଏହି କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ତେଣୁ ମେ ୧୫ ତାରିଖରୁ ଦୁବାଇକୁ ବିମାନ ଉଢ଼ାଣ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍ ମାଗିଥିବା ବେଳେ ତାହା ମିଳି ସାରିଛି । କାଲିଠୁ ଏଥି ପାଇଁ ଅନ୍ଲାଇନ୍ ଟିକେଟ୍ ବୁକିଂ ଆରମ୍ଭହେବ ।
ସୂଚନା ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି । ଲି କହିଛନ୍ତି ରାଜ୍ୟପାଳ।।