ଭଗବାନ ରାମଙ୍କ ନାମ ବଦନାମ କରୁଛି ବିଜେପି : ମମତା

କୋଲକାତା: ରାମନବମୀ ଦିନଠାରୁ ରାଜ୍ୟର ଅନେକ ସ୍ଥାନରେ ଘଟିଥିବା ହିଂସାକୁ ନେଇ ପୁଣି ଥରେ ବିଜେପି ଉପରେ ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ବିଜେପି ଲୋକମାନେ ଯେକୌଣସି ସମୟରେ ଦଙ୍ଗା କରିପାରନ୍ତି। ସେଥିପାଇଁ ମୋତେ ସବୁବେଳେ ଆଲର୍ଟ ରହିବାକୁ ପଡ଼ିଥାଏ | ଆମେ ହିଂସା କରୁନାହୁଁ, ବଙ୍ଗଳାର ଲୋକମାନେ ହିଂସା ପସନ୍ଦ କରନ୍ତି ନାହିଁ । ଏହା ସବୁ ଅପରାଧିକ ହିଂସା। ହିଂସା ପାଇଁ ବିଜେପି ଦାୟୀ, ଏଥିପାଇଁ ସେମାନେ ବଙ୍ଗଳାକୁ ବାହାରୁ ଗୁଣ୍ଡା ଆଣିଥିଲେ।

ରାମନବମୀ ଶୋଭାଯାତ୍ରାରେ ବିଜେପି ଲୋକମାନେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଆଣିଥିଲେ ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଭଗବାନ ରାମ କ’ଣ ଅସ୍ତ୍ର ଆଣିବାକୁ କହିଥିଲେ ? ଏହି ଲୋକମାନେ ବୁଝନ୍ତି ନାହିଁ ଯେ ବଙ୍ଗଳାବାସୀ ଦଙ୍ଗା ପସନ୍ଦ କରନ୍ତିନି। ଦଙ୍ଗା ବଙ୍ଗଳାର ସଂସ୍କୃତି ନୁହେଁ। ସାଧାରଣ ଲୋକ ଦଙ୍ଗା କରନ୍ତି ନାହିଁ। ନିଜ ଦ୍ବାରା ସମ୍ଭବ ନହେଲେ, ବିଜେପି ଦଙ୍ଗା କରିବାକୁ ଲୋକଙ୍କୁ ଭଡ଼ାରେ ଆଣିଥାଏ। ଦଙ୍ଗାକାରୀଙ୍କ କୌଣସି ଧର୍ମ ନାହିଁ, ସେମାନେ କେବଳ ରାଜନୈତିକ ଗୁଣ୍ଡା।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଜୁରୀରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ରାମନବମୀ ଭଳି ପବିତ୍ର ଦିନରେ ହିଂସା କରି ବିଜେପି ପ୍ରଭୁ ରାମଙ୍କ ନାମ ବଦନାମ କରୁଛି। ସେମାନେ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୋଧରେ ଲଗାଇ ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି। ନନ୍ଦିଗ୍ରାମ, ଖେଜୁରୀ, କୋଲାଘାଟ, ତାମୁଲକର ଘଟଣାକୁ ଆପଣ ଭୁଲି ଯାଇଛନ୍ତି କି? ଆଜି ସିପିଏମ୍ ବଡ଼ ବଡ଼ କଥା କହୁଛି, ଏବେ ବିଜେପି ସିପିଏମ୍ ର ରାସ୍ତା ବାଛିଛି।”

ଏହା ପୂର୍ବରୁ ସୋମବାର ମଧ୍ୟ ମମତା ବାନାର୍ଜୀ ଦଙ୍ଗାକୁ ବିଜେପି ଫଣ୍ଡିଂ କରୁଥିବା ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ବିଜେପି କର୍ମୀମାନେ ବିନା ଅନୁମତିରେ ରାଜ୍ୟର ସଂଖ୍ୟାଲଘୁ ଅଞ୍ଚଳରେ ଜାଣିଶୁଣି ଶୋଭାଯାତ୍ରା କରୁଛନ୍ତି।

Leave a Reply

Your email address will not be published. Required fields are marked *