ଅସ୍ତରଙ୍ଗ ରେ ଉପନିର୍ବାଚନ ଲଢେଇ । ପ୍ରାର୍ଥୀପତ୍ର ଦାଖଲ କଲେ ବାପ-ପୁଅ

ଅସ୍ତରଙ୍ଗ,୪/୪- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି | ପ୍ରଥମ ଦିନରେ ଆଜି ଅସନ୍ତୁଷ୍ଟ ବିଜେଡି-ବିଜେପି ଓ କଂଗ୍ରେସ ସମର୍ଥିତ ମିଳିତମେଣ୍ଟ ପକ୍ଷରୁ ବାପ-ପୁଅ ସୁକାନ୍ତ ସେଠୀ ଓ ପୃଥ୍ୱୀରାଜ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି| ନିଜର ଶତାଧିକ ସମର୍ଥକଙ୍କୁ ଧରି ଦେବୀନଦୀ ପାରି ହୋଇ ଅସ୍ତରଙ୍ଗରେ ପହଞ୍ଚିଥିଲେ |ପୂର୍ବରୁ ଅସ୍ତରଙ୍ଗ ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନରେ ମିଳିତମେଣ୍ଟରୁ ଜିତିଥିବା ସରପଞ୍ଚ ଓ ସମିତିସଭ୍ୟ ଓ ୧୫ଟି ପଞ୍ଚାୟତରୁ ଆଗଧାଡିର କର୍ମୀ ଏକାଠି ହୋଇ ପ୍ରସ୍ତୁତ ହୋଇ ରହିଥିଲେ | ମିଳିତମେଣ୍ଟର ଆବାହକ ଦିବାକର ଛାଟୋଇଙ୍କ ନେତୃତ୍ୱରେ କୁହୁଡି ସିନେମା ହଲ୍ ଛକରୁ ବାଜା ବାଣ ସହ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ ସମୁଖରେ ପହଞ୍ଚିଥିଲେ |ସେଠାରେ ହଜାର ହଜାର କର୍ମୀ ଓ ସମର୍ଥକ ସ୍ଲୋଗାନ ଦେଇ ଦୁଇପ୍ରାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ | ସାଢେ ୧ଟା ବେଳେ ନେତୃବୃନ୍ଦଙ୍କ ସହ ଯାଇ ବ୍ଲକ ନିର୍ବାଚନ ଅଧିକାରିଣୀ ତଥା ବି.ଡି.ଓ ବେବୀତା ମଞ୍ଜରୀ ନାୟକ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ | ଶାସକ ଦଳ ପକ୍ଷରୁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ମଧ୍ୟ ସୂଚନା ମିଳିଛି | ଗତ ପଞ୍ଚାୟତ ନିର୍ବାଚନରେ ଶିବଚରଣ ଭୋଇଙ୍କୁ ହରାଇ ଯଦିଓ ସମିତିସଭ୍ୟ ଗିରିଧାରୀ ସେଠୀ ନିର୍ବାଚିତ ହୋଇଥିଲେ | କିନ୍ତୁ ଚଳିତବର୍ଷ ଜାନୁଆରୀ ୨୫ରେ ତାଙ୍କର ଅକାଳ ବିୟୋଗ ହେବାରେ ଆସନ୍ତା ୨ ତାରିଖରେ ଉପନିର୍ବାଚନ ହେବାକୁ ରହିଛି| ଏଥିପାଇଁ ଚଳିତମାସ ୪ ତାରିଖରୁ ୬ ତାରିଖ ମଧ୍ୟରେ ନୋମିନେସନ୍ ଫର୍ମ ଈସୁ ଓ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ରହିବାରେ ଆଜି ପ୍ରଥମ ଦିନରେ ମିଳିତମେଣ୍ଟ ପକ୍ଷରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି |ଏମାନଙ୍କ ପାଇଁ ଆଜି ମିଳିତ ମେଣ୍ଟ ପକ୍ଷରୁ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାଏକ,ଉପାଧ୍ୟକ୍ଷ ଦୁର୍ଯ୍ୟୋୟ ମିଶ୍ର,ନୂଆଗଡ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ମାଣ୍ଡୁକି ସରପଞ୍ଚ ପ୍ରତିନିଧି ଇନ୍ଦ୍ରମଣି ଜେନା,ନଈଗୁଆଁ ସରପଞ୍ଚ ପ୍ରତିନିଧି ପ୍ରତାପ ଖୁଣ୍ଟିଆ,ଆଳଙ୍ଗପୁର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ଭୋଳ,ସମିତିସଭ୍ୟ ପ୍ରତିନିଧି ପବିତ୍ର ଲେଙ୍କା,ଝାଡଲିଙ୍ଗ ସମିତିସଭ୍ୟ ଶିବ ପରିଡା,ନଗର,ମାଣ୍ଡୁକି,ବକେନ୍ଦ୍ରାପାଟି ଓ ସରିପୁର ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ ସମେତ ବିଭିନ୍ନ ପଞ୍ଚାୟତର କର୍ମୀ ଓ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ |

Leave a Reply

Your email address will not be published. Required fields are marked *