ଅଭିଯୋଗକୁ ରାଜନୈତିକ ଅସ୍ତ୍ର କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୪ : ଡୋନାଲ୍ଡ ଟ୍ରମ୍ପ ନିଜ ବିରୋଧରେ ଅଭିଯୋଗକୁ ଏକ ରାଜନୈତିକ ଅସ୍ତ୍ର କରି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାଣନ୍ତି ସେମାନେ କେବେ ମଧ୍ୟ ଏଭଳି ଚର୍ଚ୍ଚା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବେ ନାହିଁ। କାରଣ ସେମାନେ ଜାଣନ୍ତି ଟ୍ରମ୍ପ ନିଜର ପ୍ରଚାର ପାଇଁ ସବୁ କିଛି କରିପାରିବେ।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଟ୍ରମ୍ପ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି, ଯାହା ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବହାର କରୁଛନ୍ତି। ତାଙ୍କ ୱେବସାଇଟ ରେ ଏକ ଟି-ଶର୍ଟ ଲଞ୍ଚ କରାଯାଇଛି, ଯେଉଁଥିରେ ଲେଖା ଅଛି – ନଟ ଗିଲ୍ଟି(ଦୋଷୀ ନୁହେଁ )। ଏହି ଟି-ଶର୍ଟର ବିକ୍ରି ସେ ମ୍ୟାନହଟନ କୋର୍ଟରେ ପହଞ୍ଚିବାର କିଛି ମିନିଟ ପରେ ଆରମ୍ଭ ହୋଇଥିଲା।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁକ୍ତ କରାଯାଇଛି। ପର୍ନ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡିତ ଅପରାଧିକ ମାମଲା ପାଇଁ ଟ୍ରମ୍ପ ମ୍ୟାନହଟନ କୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୨୪ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ପାଣ୍ଠି ସଂଗ୍ରହ କରୁଛନ୍ତି। ତେଣୁ ସେ ଏକ ଅଭିଯାନ ଚଳାଉଛନ୍ତି ଯାହା ଗତ ସପ୍ତାହରେ ୧୨ ମିଲିୟନ ଡଲାରରୁ ଅଧିକ ଆୟ କରିଥିଲା। ଯଦିଓ ଟ୍ରମ୍ପଙ୍କୁ ଗିରଫ କରାଯିବା ସମୟରେ କୌଣସି ପ୍ରଚାର କରାଯାଇ ନ ଥିଲା, କିନ୍ତୁ ସେ ଟି-ଶର୍ଟର ସାହାର ନେଇଥିଲେ ବୋଲି ଅଭିଯୋଗ ହେଉଛି।

ଟ୍ରମ୍ପଙ୍କ ସହାୟକମାନେ ନଟ ଗିଲ୍ଟି ନାମକ ଏକ ମେଲ ଜାରି କରିଛନ୍ତି। ଆପଣ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଛିଡା ହୋଇଛନ୍ତି କି? ୨୦୨୪ ରେ ତାଙ୍କୁ ଜିତାଇବା ପାଇଁ ଦୟାକରି ୪୭ ଡଲାର କିମ୍ବା ଅଧିକ ଯୋଗଦାନ କରନ୍ତୁ ଏବଂ ଆମେ ଆପଣଙ୍କ ପାଖକୁ ଏକ ମାଗଣା ନଟ ଗିଲ୍ଟି ଟି-ଶର୍ଟ ପଠାଇବୁ।

Leave a Reply

Your email address will not be published. Required fields are marked *