ଟାଇମ୍‌ ମାଗାଜିନ୍‌ର ‘ରିଡର୍ସ ପୋଲ୍‌’ରେ ଶୀର୍ଷ ସ୍ଥାନ ହାସଲ କଲେ ଶାହାରୁଖ ଖାନ୍‌

ମୁମ୍ବାଇ : ଟାଇମ୍‌ ମାଗାଜିନ୍‌ର ‘ରିଡର୍ସ ପୋଲ୍‌’ରେ ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ତାଙ୍କୁ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିର ମାନ୍ୟତା ଦେଇଛି ଆମେରିକାର ଏହି ପ୍ରସିଦ୍ଧ ପତ୍ରିକା । ‘ପଠାନ୍‌’ ଚଳଚ୍ଚିତ୍ରରେ ତାଙ୍କର ଦମ୍‌ଦାର ଆକ୍ସନ ଦେଖାଇ କୋଟି କୋଟି ଫ୍ୟାନ୍‌ଙ୍କ ହୃଦୟ କିଣିଥିବାରୁ ସର୍ବାଧିକ ୪% ଭୋଟ୍‌ ମିଳିଛି । ୨୦୨୩ ଟାଇମ୍‌ ୧୦୦ ପୋଲ୍‌ର ପ୍ରଥମ ସ୍ଥାନରେ ଅଧିକାର କରିଛନ୍ତି ଶାହରୁଖ ।

ଟାଇମ୍‌ ମାଗାଜିନ୍‌ ରିଡର୍ସ ପୋଲ୍‌ରେ ଇରାନୀ ମହିଳାମାନେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହିଜାବ୍‌ ବିରୋଧରେ ସେମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଶକ୍ତି ଓ ପ୍ରଭାବ ବିଶ୍ୱବାସୀଙ୍କୁ ଦେଖାଇଥିଲେ । ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ନାଲି ଆଖିକୁ ସେମାନେ ତିଳେମାତ୍ର ଖାତିର କରି ନ ଥିଲେ । ଇରାନୀ ମହିଳାଙ୍କୁ ୩% ଭୋଟ୍‌ ମିଳିଛି । କୋଭିଡ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିକାର ତୃତୀୟ ସ୍ଥାନ ମିଳିଛି । ସେମାନଙ୍କୁ ୨% ଭୋଟ୍‌ ପ୍ରାପ୍ତ ହୋଇଛି ।

ବ୍ରିଟେନ୍‌ର ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘାନ୍‌ ମାର୍କଲ୍‌ ୧.୯% ଭୋଟ୍‌ ସହିତ ଟାଇମ୍‌ ମାଗାଜିନ୍‌ ରିଡର୍ସ ପୋଲ୍‌ରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଫୁଟବଲ୍‌ କିମ୍ବଦନ୍ତୀ ଲିଓନେଲ୍‌ ମେସି ୧.୮% ଭୋଟ୍‌ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି । ବିଶ୍ୱବ୍ୟାପୀ ଟାଇମ୍‌ ମାଗାଜିନ୍‌ ପକ୍ଷରୁ ହୋଇଥିବା ସର୍ଭେରେ ୧୨ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ଟାଇମ୍‌ ମାଗାଜିନ୍‌ ମୁତାବକ ୨୦୨୩ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାର୍ଷିକ ତାଲିକା ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ । ୨୦୨୨ ତାଲିକାରେ ଗୌତମ ଆଦାନି, କରୁଣା ନନ୍ଦି ଓ ଖୁରମ୍‌ ପରଭେଜଙ୍କ ଭଳି ବ୍ୟକ୍ତି ସ୍ଥାନ ପାଇଥିଲେ ।

Leave a Reply

Your email address will not be published. Required fields are marked *