୨୦୨୩ ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ:୧୧/୪ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ରାଚଂଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ବିଗତ ବର୍ଷ ବିପୁଳ ପରିମାଣରେ ଭକ୍ତଙ୍କ ଉପସ୍ଥିତି ସତ୍ତ୍ୱେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଚଳିତ ବର୍ଷ ପ୍ରତ୍ୟେକ ଙ୍କ ମଧ୍ୟରେ ସୁସମନ୍ୱୟ ରଖି ଖୁବ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ।ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା ସମ୍ପର୍କରେ ମତଦେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ତିନି ରଥ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ର ୧୧୮ ଖଣ୍ଡ କାଠ ବଳି ଥିବାରୁ ଆଉ ୭୪୭ ଖଣ୍ଡ କାଠ ଆବଶ୍ୟକ ଅଛି।ଏହି କାଠ ଗୁଡିକୁ ପର୍ଯ୍ୟାୟ କ୍ରମେ ଜଙ୍ଗଲ ବିଭାଗ ଯୋଗାଉଛନ୍ତି ବୋଲି ସୂଚନା ଦେଇଥିଲେ।ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରେନ ଚଳାଚଳ ବ୍ୟବସ୍ଥା, ରଥଯାତ୍ରା ର ସିଧାସଳଖ ପ୍ରସାରଣ ବ୍ୟବସ୍ଥା,ଯାତ୍ରୀ ସୁବିଧା ପାଇଁ ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ରଥଯାତ୍ରା ପାଇଁ ସମସ୍ତେ ସହଯୋଗ ଓ ବିବିଧ ସମସ୍ୟା ର ତ୍ୱରିତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ୨୦୨୩ ରଥଯାତ୍ରାର କାର୍ଯ୍ୟସୂଚୀ ପ୍ରଦାନ ସହ ଆଗାମୀ ରଥଯାତ୍ରାକୁ ସମସ୍ତ ଙ୍କ ସହଯୋଗ ରେ ସୁନ୍ଦର ଭାବେ ସମାପନ କରିବାକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନରସିଂହ ଭୋଳ,ଆଇନ ବିଭାଗ ଭାରପ୍ରାପ୍ତ ପ୍ରମୁଖ ସଚିବ ଧନେଶ୍ୱର ମଲ୍ଲିକ ,ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ,ଏସ ପି ଡା କନୱର ବିଶାଲ ସିଂ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଦୂରଦର୍ଶନ ନିର୍ଦ୍ଦେଶକ ନୃସିଂହ ଜେଠୀ, ପୁରୀ ସାଂସଦ ଙ୍କ ପ୍ରତିନିଧି ଗୌରହରି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ,ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଜିଲ୍ଲାସ୍ତରୀୟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *