ମହାପ୍ରଭୁଙ୍କ ଖଳିପ୍ରସାଦ ବିଜେ ନୀତି
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-07-at-8.49.30-PM.jpeg)
ପୁରୀ,୦୭/୦୭- ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି। ଆଜି ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର , ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ। ଆଜି ସନ୍ଧ୍ୟାରେ ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଛି ।
ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏଥିପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରା ଯାଇଥାଏ । ଗୋପନୀୟତା ରକ୍ଷା କରି ଦଇତାପତି ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳିରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିଥାଆନ୍ତି । ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯାଏ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା ସହ ଡକାରା ଯାଇଥାଏ। ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଖଳି ବିଜେରେ ତିନି ଜଣ ସେବାୟତ ଶ୍ରୀମନ୍ଦିର ଯାଇଥିଲେ ।ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ (ଦିବ୍ୟ ପ୍ରଲେପ) ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିଥିଲେ । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ବିଜେ ହୋଇଥିଲା । ସୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଲାଗି କରିବେ ।