ଶ୍ରମିକ ନିର୍ମାଣ ଓ ପ୍ରଗତିର ବିଶ୍ୱକର୍ମା

ପୁରୀ ୧/୫ ପ୍ରତିଟି ଶ୍ରମିକ ଦେଶର ନିର୍ମାଣ ଓ ପ୍ରଗତିର ଜଣେ ଜଣେ ବିଶ୍ୱକର୍ମା।ସେମାନଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପ୍ରତି ସରକାର ବଦ୍ଧପରିକର ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀମତୀ ସ୍ୱାଇଁ ସମାଜ ପାଇଁ ଶ୍ରମିକ ମାନଙ୍କ ସେବା ଓ ତ୍ୟାଗ ଅତୁଳନୀୟ ବୋଲି କହିବା ସହ ସଂଗଠିତ ଭାବେ ସେମାନେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ୧୯୨୩ ମସିହା ଆଜିର ଦିବସ ରେ ଆମ ଦେଶରେ ଆରମ୍ଭ ହୋଇଥିବା ଶ୍ରମିକ ଦିବସ ୧୦୧ ବର୍ଷ ପୂର୍ତ୍ତି କରିଛି।ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା, ଅଧିକାର, ଦାୟିତ୍ୱ ଓ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି।ପ୍ରସୂତି କାଳୀନ ସହାୟତା, କନ୍ୟା ମାନଙ୍କ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁ କାଳୀନ ସହାୟତା, ଅନ୍ତେଷ୍ଟି କାଳୀନ ସହାୟତା ଇତ୍ୟାଦି ସରକାର ଯୋଗାଇ ଦେଉଛନ୍ତି ବୋଲି ସେ କହିଥିଲେ।ବିଶିଷ୍ଟ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ସମସ୍ତ ସୁବିଧା ପାଉଥିବାରୁ ବର୍ତ୍ତମାନ ସୁଦ୍ଧା ଯେଉଁମାନେ ଅଣସଂଗଠିତ ଭାବେ ଅଛନ୍ତି ସେମାନଙ୍କୁ ପଞ୍ଜିକୃତ କରି ଅନୁରୂପ ସୁବିଧା ସୁଯୋଗ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତ୍ୟେକ ବିଭିନ୍ନ କ୍ଷେତ୍ରରେ ଜଣେ ଜଣେ ଶ୍ରମିକ ଓ ପ୍ରତିଟି ଦିବସ ଶ୍ରମ ଦିବସ ବୋଲି କହିବା ସହ ସଂଗଠିତ ହେବାକୁ ଅନୁରୋଧ କରିଥିଲେ।ଡିଭିଜିଓନାଲ ଲେବର କମିଶନର ଶିବ ଶଙ୍କର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଶ୍ରମିକ ଦିବସ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଦିଲ୍ଲୀପ କୁମାର ପାଣି ୨୦୨୨-୨୩ ବର୍ଷ ରେ ୧୭୯୧ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୮୬,୨୬,୪୦୦ ଟଙ୍କା,୧୬୪୧ ଜଣଙ୍କୁ ବିବାହ ସହାୟତା ପାଇଁ ୭,୯୭,୭୫,୦୦୦ ଟଙ୍କା,୨୫୫ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା କ୍ଷେତ୍ରରେ ୪,୭୮,୦୦,୦୦୦ ଟଙ୍କା,୨୩୬ ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ବାବଦରେ ୧୧,୮୦,୦୦୦ ଟଙ୍କା ଓ ୯ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ଭାବେ ୯୦,୦୦୦ ଟଙ୍କା ପ୍ରଦାନ କରାଯାଇଛି।ଅଣ ସଂଗଠିତ କ୍ଷେତ୍ରରେ ୧୩ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ଭାବେ ୧୩,୦୦,୦୦୦ ଟଙ୍କା ପ୍ରଦାନ କରାଯାଇଛି।୨୦୨୩-୨୪ ବର୍ଷ ର ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ ବିଭିନ୍ନ ସହାୟତା ଭାବେ ୧,୮୧,୮୨,୦୦୦ ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଥିଲେ। ପରେ ଅତିଥି ମାନେ ହିତାଧିକାରୀ ମାନଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *