ପାଶ୍ଚାତ୍ୟ କରୁଛି ଅସଲ ଯୁଦ୍ଧ: ପୁଟିନ୍‌

ମସ୍କୋ,୧୦ା୫: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ଅସଲ ଯୁଦ୍ଧ’ ଆରମ୍ଭ କରିଦେଇଛନ୍ତି ବୋଲି ବିଜୟ ଦିବସ ପରେଡ୍‌ ଅବସରରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରକାଶ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀର ନାଜିଙ୍କ ପରାଜୟକୁ ମନେପକାଇ ରୁଷିଆ ପ୍ରତିବର୍ଷ ମେ’ ୯ରେ ଭିକ୍ଟ୍ରି ଡେ’ ପାଳନ କରିଥାଏ। ଚଳିତବର୍ଷ ମସ୍କୋର ରେଡ୍‌ ସ୍କୋୟାରରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ‘ଭିକ୍ଟ୍ରି ଡେ’ ପାଳନ କରାଯାଇଛି। ପରେଡ୍‌ ଅଭିବାଦନ ଗ୍ରହଣ କରିବା ପରେ ପୁଟିନ୍‌ ନିଜ ସେନା ଓ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମାନବ ସଭ୍ୟତା ପୁଣି ଥରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ୟୁକ୍ରେନ୍‌ ବିରୋଧରେ ରୁଷିଆ ସ୍ବତନ୍ତ୍ର ସାମରିକ ଅଭିଯାନ କରୁଥିବାବେଳେ କିଭ୍‌ର ସହଯୋଗୀ ପାଶ୍ଚାତ୍ୟ ଆମ ଦେଶ ମାତୃକା ବିରୋଧରେ ଚଳାଇଥିବା ଛାୟାଯୁଦ୍ଧ ଏବେ ବାସ୍ତବ ଯୁଦ୍ଧରେ ପରିଣତ ହୋଇଛି। ଏହି ଅବସରରେ ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଲଢ଼ୁଥିବା ସୈନ୍ୟମାନଙ୍କୁ ସ୍ବାଗତ କରିଛନ୍ତି। ରେଡ୍‌ ସ୍କୋୟାରରେ ବିଜୟ ଦିବସ ପାଳନ ବେଳେ ରୁଷୀୟ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମୁତୟନ କରି ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଏହି ଦିବସକୁ ରୁଷିଆ ବଡ଼ ଧୁମଧାମରେ ପାଳନ କରିଥାଏ। କିନ୍ତୁ ନିକଟରେ ପୁଟିନ୍‌ଙ୍କୁ ଟାର୍ଗେଟ କରି ଡ୍ରୋନ୍‌ ଆକ୍ରମଣ କରାଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଛୋଟ ଆକାରରେ ପାଳନ କରାଯାଇଛି। ପରେଡ୍‌ରେ ପ୍ରାୟ ୮,୦୦୦ ସୈନ୍ୟ ଭାଗନେଇଥିଲେ, ଯାହାକି ୨୦୦୮ ପରଠୁ ସର୍ବନିମ୍ନ। ପୁଟିନ୍‌ ଏଥର ୧୦ ମିନିଟ୍‌ ଭାଷଣ ଦେଇଥିଲେ।

Leave a Reply

Your email address will not be published. Required fields are marked *