ଲିଣ୍ଡା ଟୁଇଟରର ନୂଆ ସିଇଓ

ଓ୍ବାଶିଂଟନ୍‌, ୧୩।୫: ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରାଯାଇଛି। ଟୁଇଟର ମାଲିକ ଏଲନ ମସ୍କ ଶୁକ୍ରବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡାଙ୍କୁ ସ୍ବାଗତ ଜଣାଉଛି। ଲିଣ୍ଡା କମ୍ପାନୀର ବ୍ୟବସାୟିକ କାରବାରର ତଦାରଖ କରିବାକୁ ଥିବାବେଳେ ନିଜେ ମସ୍କ ପ୍ରଡକ୍ଟ ଡିଜାଇନ୍‌ ଓ ନୂଆ ଟେକ୍‌ନୋଲୋଜି ବିଷୟରେ ଅନୁଧ୍ୟାନ କରିବେ। ଲିଣ୍ଡାଙ୍କ ସହ କାମ କରିବାକୁ ନେଇ ସେ ଉତ୍ସାହିତ ଥିବା କହିଛନ୍ତି। ଟୁଇଟର ସିଇଓ ହେବା ପୂର୍ବରୁ ଲିଣ୍ଡା ଏନ୍‌ବିସିୟୁନିଭର୍ସାଲ ମିଡିଆ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ଲିଣ୍ଡା ଏହି ଜଣାଶୁଣା ଆମେରିକୀୟ ଗଣମାଧ୍ୟମ କମ୍ପାନୀର ଗ୍ଲୋବାଲ୍‌ ଆଡ୍‌ଭାର୍ଟାଇଜିଂ ଏବଂ ପାର୍ଟନରଶିପ୍‌ର ଦାୟିତ୍ୱରେ ଥିଲେ। ଅନ୍ୟପକ୍ଷେ ୧୨ ବର୍ଷରେ ଲିଣ୍ଡା ଏନ୍‌ବିସିୟୁନିଭର୍ସିଟି ମିଡିଆ କମ୍ପାନୀ ଛାଡ଼ୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଟୁଇଟରର ନୂଆ ସିଇଓ ପଦ ଲାଗି ଗୁରୁବାର ମସ୍କ ଏକ ଟୁଇଟ୍‌ କରିବା ପରେ ଲିଣ୍ଡାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏନ୍‌ବିସିୟୁନିଭର୍ସାଲର ଆଡ୍‌ଭାର୍ଟାଇଜିଂ ବିଭାଗ ମୁଖ୍ୟ ଦାୟିତ୍ୱରେ ଲିଣ୍ଡା ୧୦ରୁ ଊର୍ଦ୍ଧ୍ୱ ବର୍ଷ କାର୍ଯ୍ୟ କରିଛନ୍ତି। ସେ ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ଲିବେରାଲ୍‌ ଆର୍ଟସ୍‌ ଏବଂ ଟେଲିକମ୍ୟୁନିକେଶନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଏପ୍ରିଲରେ ମିଆମିରେ ଅନୁଷ୍ଠିତ ଏକ ଆଡ୍‌ଭାର୍ଟାଇଜିଂ କନ୍‌ଫରେନ୍ସରେ ଲିଣ୍ଡା ମସ୍କଙ୍କ ସାକ୍ଷାତ୍‌କାର ନେଇଥିବାବେଳେ ଲିଣ୍ଡା ମସ୍କଙ୍କ ପ୍ରଶଂସା କରିଥିଲେ, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିଛିଦିନ ପୂର୍ବେ ମସ୍କ ଏକ କୁକୁର ଫଟୋ ଶେୟାର କରି ଟୁଇଟରର ନୂଆ ସିଇଓ ବୋଲି କ୍ୟାପ୍‌ଶନରେ ଲେଖିଥିଲେ।
ଗତବର୍ଷ ଅକ୍ଟୋବରରେ ମସ୍କ ୪୪ ବିଲିୟନ୍‌ ଡଲାରରେ ମାଇକ୍ରୋବ୍ଲଗିଂ ଜାଏଣ୍ଟ ଟୁଇଟରକୁ କିଣିଥିଲେ। କମ୍ପାନୀର ମାଲିକାନା ହାସଲ କରିବା ପରେ ବହୁ ଉଚ୍ଚପଦଧାରୀ କର୍ମଚାରୀଙ୍କୁ ସେ ଚାକିରିରୁ ବାହାର କରିବା ସହ କମ୍ପାନୀ ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି।

Leave a Reply

Your email address will not be published. Required fields are marked *