ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ

ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ଜାତୀୟ ରାଜଧାନୀର ପ୍ରଶାସନିକ ସେବା ନିୟନ୍ତ୍ରଣକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଉପରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କହିଛନ୍ତି ଯେ, ଏହା ସର୍ବସମ୍ମତ ନିଷ୍ପତ୍ତି। ଜମି, ପୋଲିସ ଏବଂ ଆଇନ ଶୃଙ୍ଖଳାକୁ ନେଇ କୌଣସି ମାମଲା ବ୍ୟତୀତ ଅନ୍ୟ ପ୍ରଶାସନିକ ସେବା ଦିଲ୍ଲୀ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ରହିବ। ଏହି ତିନୋଟି ପ୍ରସଙ୍ଗକୁ ଛାଡି ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ବାକି ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ।

ପ୍ରଧାନ ବିଚାରପତି ଡି,ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ବେଞ୍ଚ ଏହି ପ୍ରସଙ୍ଗରେ ସର୍ବସମ୍ମତି କରି କହିଛନ୍ତି ଯେ, ୨୦୧୯ ନିଷ୍ପତ୍ତିରେ କୁହାଯାଇଥିଲା ଯେ, ସମସ୍ତ ସେବା ଦିଲ୍ଲୀ ସରକାରଙ୍କ କ୍ଷମତା ବାହାରେ। ତେଣୁ ଜଷ୍ଟିସ ଅଶୋକ ଭୂଷଣଙ୍କ ୨୦୧୯ ରାୟରେ କୋର୍ଟ ସହମତ ନୁହେଁ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ)ଙ୍କ ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି, ବଦଳ ଓ ପଦୋନ୍ନତିି କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ରହିବ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଯଦି ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ କ୍ଷମତା ନ ଦିଆଯାଏ ତେବେ ତାଙ୍କୁ ଉତ୍ତରଦାୟୀ କରିବାର କୌଣସି ଅର୍ଥ ରହିବ ନାହିଁ।

Leave a Reply

Your email address will not be published. Required fields are marked *