ଅର୍କକ୍ଷେତ୍ରରେ ବାହୁଡା଼ ରଥଯାତ୍ରା ଅନୁଷ୍ଠିତ

ଅର୍କକ୍ଷେତ୍ରରେ ବାହୁଡା଼ ରଥଯାତ୍ରା ଅନୁଷ୍ଠିତକୋଣାର୍କ,୨୮.୦୬- ଅର୍କକ୍ଷେତ୍ର କୋଣାର୍କରେ ପଵିତ୍ର ରଥଯାତ୍ରାର ଆଜି ବାହୁଡା଼ ପର୍ବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳୁ ରାଉଳପାଟଣା ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାର୍ମିକ ରୀତିନୀତି ଅନୁଯାୟୀ ଶ୍ରୀଜିଉମାନଙ୍କ ଦ୍ବାର ଫିଟା ନୀତି, ମଂଗଳ ଆଳତୀ, ମଇଲମ ନୀତି, ଦ୍ବାରାପାଳ ପୂଜା ନୀତି, ଭୋଗ ଲାଗି, ହୋମଯଜ୍ଞ ଆଦି କାର୍ଯ୍ୟ ସଂପନ୍ନ କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପରାହ୍ନ ୩ଟାରେ ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଥିଲା । ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥରେ ମହାରାଜ ଭାବେ ଗୋପାଳ ଚନ୍ଦ୍ର ଦାଶ ଛେରାପହଁରା ନୀତି ସଂପାଦନ କରିଥିଲେ। ପରେ ପରେ ଅପରାହ୍ନ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥଯାତ୍ରାରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ବସଷ୍ଟାଣ୍ଡ ନିକଟରେ ଥିବା ମାଉସୀମା ମନ୍ଦିରରେ ମହାପ୍ରଭୁ ଚତୁ୍ଦ୍ଧାମୂର୍ତ୍ତି ପୋଡ଼ପିଠା ଗ୍ରହଣ କରିଥିଲେ। ସନ୍ଧ୍ୟା ପୁର୍ବରୁ ରାଜାରାମ ମଠ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥ ପହଞ୍ଚି ଥିଲା। ରଥଟଣା ସମୟରେ କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡା ଓ ଅଗ୍ନିଶମ ବାହିନୀ ଅଧିକାରୀ ଜ୍ୟୋତି ପ୍ରସାଦ ରଥଙ୍କ ନେତୃତ୍ବରେ ବାହୁଡା଼ ରଥଯାତ୍ରା ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପୂଜକ ପ୍ରହଲ୍ଲାଦ ଦାଶ, ଟ୍ରଷ୍ଟ ବୋର୍ଡର ପରିଚାଳକ ନିରଜଂନ ବାରିକ ଓ ସେବାୟତ ମାନଙ୍କ ସହ ରାଉଳ ପାଟଣା ଗ୍ରାମ୍ୟ କମିଟି ପକ୍ଷରୁ ରଥଯାତ୍ରା କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ। ବିଦ୍ୟୁତ୍ ବିଭାଗର କର୍ମଚାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ରଥଟଣା କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *