ବିଦେଶ ମାଟି ବାହାରିନରେ ରଥଯାତ୍ରା

ରାୟଗଡ଼ା/ମାନମା-୨୮/୬-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ବିଶ୍ୱର କୋଣଅନୁକୋଣରେ ପାଳିତ ହୋଇଥାଏ। ଭାରତର ବିଭିନ୍ନ ପ୍ରଦେଶ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅତ୍ୟନ୍ତ ଭାବ ଭକ୍ତି ସହକାରେ ଏହି ପର୍ବ ପାଳିତ ହୋଇ ଜଗନ୍ନାଥଙ୍କୁ ବିଶ୍ୱର ଦେବତା ବୋଲି ପ୍ରତିପାଦିତ କରେ। ସେହି କ୍ରମରେ ବିଦେଶ ବାହାରିନରେ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ବହାରିନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସଙ୍ଗଠନ ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଦୀର୍ଘ ୨୫ବର୍ଷ ଧରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ ବାହାରିନ ଓଡ଼ିଆ ସମାଜ ମିଳିତ ଭାବରେ ମାନାମାଠାରେ ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି।ଶ୍ରୀକ୍ଷେତ୍ର ପୁରୀର ରୀତି ନୀତି ଅନୁଯାୟୀ ସମସ୍ତ ବିଧି ବିଧାନ ସହିତ ଶ୍ରୀଜୀଉମାନଙ୍କ ପହଣ୍ଡିବିଜେ, ରଥପ୍ରତିଷ୍ଠା, ଛେରାପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ଏଥିରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଛେରାପହଁରା କାର୍ଯ୍ୟ ତୁଲାଇବା ସହିତ ଅନ୍ୟାନ୍ୟ ପ୍ରବାସୀ ଓଡ଼ିଆ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ବହାରେନରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଶ୍ରୀ Rajiv Mishra ମଧ୍ୟ ରଥଯାତ୍ରା ଅଂଶଗ୍ରହଣ କରିଥିଲେ ଏବଂ ବିଦେଶୀ ମାଟିରେ ଆମର ସାଂସ୍କୃତିକ ମୂଲ୍ୟବୋଧର ସଂରକ୍ଷଣ ତଥା ସୁରକ୍ଷା ପାଇଁ ବହାରେନ ଓଡିଆ ସମାଜ ପାଇଁ ତାଙ୍କର ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ।

୨୦୦ବର୍ଷର ପୁରାତନ ଶ୍ରୀନାଥଜୀ ମନ୍ଦିରରେ ବିଭିନ୍ନ ଦେଶ ଓ ସମ୍ପ୍ରଦାୟର ପ୍ରାୟ ୧୦,୦୦୦ ଭକ୍ତଙ୍କ ଗହଣରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମହାପ୍ରସାଦ ସେବା, ସଂକୀର୍ତ୍ତନ ନାମ ଯଜ୍ଞ ଆଦି ସମ୍ପାଦିତ ହୋଇଥିଲା। ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଏହି ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ, ସଂସ୍କୃତି ଓ ଦିବ୍ୟ ବିଶ୍ବ ମାନବୀୟ ଚେତନା ପ୍ରସାରରେ ସହଭାଗୀ ହୋଇ ଜୀବନ ଧନ୍ୟ ହୋଇଛି ବୋଲି ଅତ୍ୟନ୍ତ ଭାବାବେଗ ସହିତ ବ୍ୟକ୍ତ କରିଥିଲେ।ଶ୍ରୀଜଗନ୍ନାଥଙ୍କ ଚେତନା ଓ ଦର୍ଶନର ବିଶ୍ଵବ୍ୟାପୀ ପ୍ରଚାର ଓ ପ୍ରସାରର ଏହା ଏକ କ୍ଷୁଦ୍ର ପ୍ରୟାସ ଓ ଏଥିରେ ସମସ୍ତ ଓଡ଼ିଆଙ୍କ ଗୌରବମୟ ଯୋଗଦାନ ନେଇ ସେ ଜଣେ ଓଡ଼ିଆ ଭାବରେ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *