ଯାଜପୁର ବ୍ୟାସନଗର ରେ ତିନି ଦିନିଆ ଆନ୍ତର୍ଜାତୀୟ କ୍ରାଫ୍ଟ ସମିଟ ଉଦଘାଟିତ

ଯାଜପୁର ରୋଡ ସହର ଅନ୍ତର୍ଗତ ଯଯାତି ହୋଟେଲ ପରିସରରେ ତିନି ଦିନିଆ ଆନ୍ତର୍ଜାତୀୟ ହସ୍ତକଳା ସମିଟ ଉଦଘାଟିତ ହୋଇଯାଇଛି l ଏହି ସମିଟିକୁ ଆଭାସି ବା ଭିଡିଓ କନଫେରସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ କରିଥିଲେ l ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଆମ କଳା କାରିଗରି ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢି ଉଠିଛି ବୋଲି କହିଥିଲେ l ଆମ ଶିଳ୍ପୀ ଓ ବୁଣାକାର ପିଢୀ ପରେ ପିଢୀ ରାଜ୍ୟର କଳା ପରଂପରାକୁ ବଂଚାଇ ରଖିବା ସହ ବିଶ୍ବ ଦରବାରରେ ଓଡିଶାକୁ ଏକ ସତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ I ଏହି ସମିଟର ଅନ୍ୟତମ ଉଦଘାଟକ ଭାବେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ, ରାଜ୍ୟ ଗ୍ରାମ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରିତୀରଂଜନ ଘଡେଇ, ପ୍ରଫେସର କିଶୋର ବାସା, କୋରେଇ ବିଧାୟକ ଅଶୋକ ବଳ ଓ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋର ଉପସ୍ଥିତ ଥିଲେ l ନିଜର ବକ୍ତବ୍ୟରେ ସମସ୍ତ ବକ୍ତା ରାଜ୍ୟର କଳା କାରିଗରୀର ଉଚ୍ଚ ପ୍ରଶଂସା କରିବା ସହ ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରରେ ହସ୍ତତନ୍ତ ଓ ହସ୍ତଶିଳ୍ପର ଯୋଗଦାନ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ l ଆଜିର ଉଦଘାଟନ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ପ୍ରସିଦ୍ଧ ହିନ୍ଦି ସିନେମା ଅଭିନେତା ନଓଜଦ୍ଦିନ ସିଦ୍ଧିକ l

କାରିଗର ଓ ବୁଣାକାରଙ୍କ ହାତ ତିଆରି କଳାକୃତିକୁ ବହୁଳ ପରିମାଣରେ ବ୍ୟବହାର କଲେ ଏହି କ୍ଷେତ୍ରର ବିକାଶ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ ନଓଜଦ୍ଦିନ ସିଦ୍ଧିକ କହିଥିଲେ l ସମିଟର ଉଦଘାଟନ ପରେ ଆରମ୍ଭ ହୋଇଥିଲା ଦିବସ ବ୍ୟାପୀ ଆଲୋଚନା ଚକ୍ର l ତେବେ ଏହି ସମିଟରେ ୧୮ ଟି ଦେଶର ପ୍ରତିନିଧୀ ମାନେ ଯୋଗ ଦେଇଛନ୍ତି I ଏହି ଅବସରରେ ରାଜ୍ୟର ଜାତୀୟ ଓ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମାନଙ୍କର କଳାକୃତି କୁ ନେଇ ଖୋଲିଥିବା ଷ୍ଟଲ ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥିଲା l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter