ଏଣିକି ମୋବାଇଲ୍ ନମ୍ବର ଦେବାକୁ ଗ୍ରାହକଙ୍କୁ ବାଧ୍ୟ କରିପାରିବେନି ଦୋକାନୀ : ଖାଉଟି ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ସପିଂ ସମୟରେ ଗ୍ରାହକଙ୍କ ବିନା ଇଚ୍ଛାରେ ମୋବାଇଲ୍ ନମ୍ବର ଦେବାକୁ ବାଧ୍ୟ କରିପାରିବେ ନାହିଁ ଦୋକାନୀ । ଖାଉଟି ବ୍ୟାପାର ମନ୍ତ୍ରାଳୟ ଏନେଇ ଆଡଭାଇଜରୀ ଜାରି କରିଛି । ଖୁଚୁରା କମ୍ପାନୀଗୁଡିକୁ ସାମଗ୍ରୀ ଏବଂ ସେବା ବିକ୍ରୟ ସମୟରେ ଗ୍ରାହକଙ୍କୁ ସେମାନଙ୍କ ବିନା ସହମତିରେ ମୋବାଇଲ୍ ନମ୍ବର ନ ମାଗିବାକୁ ପରାମର୍ଶ ଦେବା ପାଇଁ ପ୍ରମୁଖ ଶିଳ୍ପ ଓ ବାଣିଜ୍ୟ ସଂଘଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ଏଭଳି ଅଭିଯୋଗ ଆସୁଥିଲା।

ଖାଉଟି ବ୍ୟାପାର ସଚିବ ମେ ୨୬ରେ ସିଆଇଆଇ, ଫିକି, ଆସୋଚାମ୍, ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ରିଟେଲର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଆଦି ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ ସଂଗଠନ ଗୁଡିକୁ ଏକ ଚିଠି ଲେଖିଥିଲେ ।

କୌଣସି ଦ୍ରବ୍ୟ କିମ୍ବା ସେବା ବିକ୍ରୟ ସମୟରେ ଗ୍ରାହକଙ୍କ ବିନା ସହମତିରେ ସେମାନଙ୍କ ମୋବାଇଲ୍ ନମ୍ବର ନିଆଯିବା ଉଚିତ ନୁହେଁ। ଏହାକୁ ସପିଂ ପାଇଁ ଏକ ବାଧ୍ୟତାମୂଳକ ସର୍ତ୍ତ କରାଯାଇ ପାରିବ ନାହିଁ । ସାମଗ୍ରୀ ଓ ସେବା ବିକ୍ରି ସମୟରେ ସେମାନଙ୍କ ସମ୍ମତି ବିନା ଗ୍ରାହକଙ୍କ ମୋବାଇଲ୍ ନମ୍ବର ନ ନେବାକୁ ଖୁଚୁରା ଦୋକାନୀଙ୍କୁ ପରାମର୍ଶ ଦେବାକୁ ବାଣିଜ୍ୟ ସଂଗଠନ ଗୁଡ଼ିକୁ ଚିଠିରେ କହିଛନ୍ତି ଖାଉଟି ବ୍ୟାପାର ସଚିବ ।

ଖୁଚୁରା ଦୋକାନୀମାନେ ସାମଗ୍ରୀ କିଣିବା ପୂର୍ବରୁ ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରୁଛନ୍ତି । ଏନେଇ ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନ୍ଏଚ୍ଏ) ରେ ଅନେକ ଅଭିଯୋଗ ଆସିଥିଲା । ମୋବାଇଲ୍ ନମ୍ବର ନ ଦେବାରୁ ଖୁଚୁରା ବ୍ୟବସାୟୀମାନେ ଗ୍ରାହକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି । ସେମାନେ ଉତ୍ପାଦ କିମ୍ବା ସେବା ବିକ୍ରୟ କରିବାକୁ ମନା କରିଦେଇଥିଲେ ଅବା ଟଙ୍କା ଫେରସ୍ତ କରିନଥିଲେ କିମ୍ବା ସାମଗ୍ରୀ ବଦଳ କରିବାକୁ ମନା କରିଥିଲେ। ଏପରି କରିବା ଗ୍ରାହକ ସୁରକ୍ଷା ଆଇନ, ୨୦୧୯ର ଉଲ୍ଲଂଘନ ।

ଖାଉଟି ସଚିବ କହିଛନ୍ତି, “ମୋବାଇଲ୍ ନମ୍ବର ଦେବା ବାଧ୍ୟତାମୂଳକ କରିବା ଦ୍ବାରା ଗ୍ରାହକମାନେ ନିଜ ଇଚ୍ଛା ବିରୁଦ୍ଧରେ ବ୍ୟକ୍ତିଗତ ତଥ୍ୟ ଦେବାକୁ ବାଧ୍ୟ ହୁଅନ୍ତି। ଏହା ପରେ ଗ୍ରାହକଙ୍କ ନିକଟକୁ ଖୁଚୁରା ବ୍ୟବସାୟୀଙ୍କଠାରୁ ମାର୍କେଟିଂ ଏବଂ ପ୍ରମୋସନ ସମ୍ବନ୍ଧୀୟ ଅଯଥା କଲ୍ ଓ ମେସେଜ୍ ଆସିଥାଏ । ଖାଉଟି ବ୍ୟାପାର ବିଭାଗ ଏହାକୁ ଗମ୍ଭୀରତାର ସହ ନେଇଛି।

Leave a Reply

Your email address will not be published. Required fields are marked *