କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟିର ବୈଠକ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
କେନ୍ଦ୍ରାପଡ଼ା ଜିଲ୍ଲାରେ ଉପଲବ୍ଧ ପ୍ରାକୃତିକ ସମ୍ପଦ ଓ ମାନବସମ୍ବଳର ସୁବିନିଯୋଗ କରି ଜିଲ୍ଲାକୁ ମହାବିକାଶ ପର୍ବରେ ଆଗେଇ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ବୋର୍ଡର ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ
ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ, ଜିଲ୍ଲା ପରିଷଦର ଚିଫ ଡେଭଲ୍ପ୍ମେଣ୍ଟ ଅଫିସର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଜିଲ୍ଲାର ବାତ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ପିଇବା ପାଣିର ସୁବିଧା ଓ ଭୂତଳ ବିଦ୍ୟୁତ ସଂଯୋଗର ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ବସ୍ତି ଅଞ୍ଚଳ ଉନ୍ନୟନ ନିମନ୍ତେ ନୂତନ ଗୃହନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିମଳ, ଉଠାଜଳସେଚନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ପୂର୍ତ୍ତ ଆଦି ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର
ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏଥି ସହିତ ବୈଠକରେ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି, ରାଜନଗରର ଡାଙ୍ଗମାଳଠାରେ ଦମକଳ କେନ୍ଦ୍ର ସ୍ଥାପନ, କଟକ-ଚାନ୍ଦବାଲି ରାସ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡର ସ୍ଥାନାନ୍ତରଣ ଆଦି ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ବୈଠକରେ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନା ଅନୁମୋଦନ କରାଯିବା ସହିତ ୨୦୨୪-୨୫ ବର୍ଷରେ ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନାର ଚିଠା ପ୍ରସ୍ତାବକୁ ଏବଂ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷର ସଙ୍କଟକାଳୀନ ପାଣ୍ଠିର ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ।
ବୈଠକରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ ଯୋଜନା କମିଟିର ସଦସ୍ୟମାନଙ୍କ ସମେତ ଉପନିର୍ଦ୍ଦେଶିକା, ଯୋଜନା ଓ ପରିସଂଖ୍ୟାନ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ ଶ୍ରୀମତୀ ଆରତୀ ନାୟକ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।