ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ

ଯଦି ଆପଣ ପିଏମ୍ କିସାନ ସମ୍ମାନ ନିଧିର ୧୪ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି । ତେବେ ଏହାର ଟଙ୍କା ମେ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ । କିନ୍ତୁ ଏହାପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦେଶର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି । ନକଲି ମଞ୍ଜି ବିକ୍ରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି । ଦେଶର ୧୪ କୋଟି କୃଷକ ଏହି ଆପରୁ ଲାଭ ପାଇବେ ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନକଲି ବିହନ ଚିହ୍ନଟ ଓ ପ୍ରାମାଣିକରଣ ପାଇଁ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ଜାରି କରିଛନ୍ତି । ଏକ ବୟାନ ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପୋର୍ଟାଲ ଓ ମୋବାଇଲ୍ ଆପ୍ ‘ସାଥୀ’ (SATHI App-Seed Traceability, Authentication and Holistic Inventory) ଲଞ୍ଚ କରିଛି । ଏହି ଆପ୍ ବିହନର ଗୁଣବତ୍ତା ଟ୍ରାକିଂ କରିବା, ତାହାର ପ୍ରମାଣିକରଣ ଏବଂ ସଂରକ୍ଷଣ ପାଇଁ ଏହା ଏକ କେନ୍ଦ୍ରୀଭୂତ ଅନଲାଇନ୍ ସିଷ୍ଟମ୍ ।
ବିହନ ଉତ୍ପାଦନ, ଗୁଣାତ୍ମକ ବିହନ ଚିହ୍ନଟ ଏବଂ ବିହନ ପ୍ରମାଣିକରଣର ଆହ୍ୱାନକୁ ପୂରଣ କରିବା ପାଇଁ ଏହି ଆପ୍ ଡିଜାଇନ୍ କରାଯାଇଛି । କୃଷି ମନ୍ତ୍ରଣାଳୟର ସହଯୋଗରେ ‘ସର୍ବୋତ୍ତମ ବିହନ ସମୃଦ୍ଧ କୃଷକ’ ବିଷୟବସ୍ତୁ ଉପରେ ଏହା ଏନଆଇସି ଦ୍ୱାରା ବିକଶିତ ହୋଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଅସୁବିଧାକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ‘ସାଥି’ ପୋର୍ଟାଲ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଏହା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ପ୍ରମାଣିତ ହେବ । ‘ସାଥି’ ପୋର୍ଟାଲର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସମୟ ନହୁଏ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରାଯିବା ଉଚିତ ଯାହା ଦ୍ୱାରା କୃଷକମାନେ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ।