ଏୟାର ଇଣ୍ଡିଆ ବିମାନରେ ଅଘଟଣ; ମହିଳା ଯାତ୍ରୀଙ୍କୁ କାମୁଡ଼ିଲା ବିଛା

ନୂଆଦିଲ୍ଲୀ: ପକ୍ଷୀ ଓ ମୂଷା ପରେ ଏବେ ଉଡାଜାହାଜରେ ବିଛା ଆତଙ୍କ । ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି । ଏପ୍ରିଲ ୨୩ରେ ଏପରି ଏକ ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ। ମହିଳା ଯାତ୍ରୀଙ୍କ ତୁରନ୍ତ ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି ବୋଲି କୁହାଯାଇଛି ।

ଏୟାର ଇଣ୍ଡିଆର ନାଗପୁର-ମୁମ୍ବାଇ ଫ୍ଲାଇଟ୍ (ଏଆଇ ୬୩୦)ରେ ଜଣେ ମହିଳାଙ୍କୁ ବିଛା କାମୁଡ଼ି ଦେଇଥିଲା | ଏନେଇ ମୁମ୍ବାଇ ବିମାନବନ୍ଦରକୁ ସୂଚନା ଦିଆଯିବା ପରେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଡ଼କାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ବିମାନଟି ଲ୍ୟାଣ୍ଡ କରିବା ପରେ ମହିଳା ଯାତ୍ରୀଙ୍କ ଜରୁରୀ ଚିକିତ୍ସା କରାଯାଇଥିଲା ଓ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ସେ ଡିସଚାର୍ଜ ହୋଇଥିଲେ। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, “ଆମର ଅଧିକାରୀମାନେ ମହିଳା ଯାତ୍ରୀଙ୍କୁ ଡାକ୍ତରଖାନା ନେଇଥିଲେ ଏବଂ ଡିସଚାର୍ଜ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଥିଲେ। ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି ।

ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏୟାର ଇଣ୍ଡିଆର ଇଞ୍ଜିନିୟରିଂ ଟିମ୍ ପ୍ରୋଟୋକଲ ପାଳନ ପୂର୍ବକ ବିମାନରେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ବିଛା ମିଳିଥିଲା। ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି ।

Leave a Reply

Your email address will not be published. Required fields are marked *