ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଲୋକାୟୁକ୍ତରେ ଅଭିଯୋଗ

ଗୋପ :10/06– ଅନିୟମିତତା ଭ୍ରଷ୍ଟାଚାର ଦୁର୍ନୀତି ଆଦିର ଗନ୍ତାଘର ପାଲଟିଛି ଗୋପ ବ୍ଲକ । ଏଠାରେ କାର୍ଯ୍ୟରତ ଯେକୌଣସି ବିଭାଗର ଗୋଟେ ଫାଇଲ ଉଠାଇ ତଦନ୍ତ କରିବେ ତାହା ଦେହରୁ ଦୁର୍ନୀତି ଗନ୍ଧ ବାରିହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଠିକ ସେହିପରି ଗୋପ ବ୍ଲକ ଅନ୍ତର୍ଗତ ଛଇତନା ଗ୍ରାମ ପଞ୍ଚାୟତର ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ସହିତ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ ବିରୁଦ୍ଧରେ ସାମାଜିକ କର୍ମୀ ସନ୍ତୋଷ କୁମାର ମହାନ୍ତି ଲୋକାୟୁକ୍ତ ଓଡ଼ିଶାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ବିଗତ ଦିନରେ ଜେସିବି ମେସିନରେ ପୋଖରୀ ଖୋଳା କାର୍ଯ୍ୟକୁ ମନରେଗା କାର୍ଯ୍ୟରେ ସାମିଲ କରାଯାଉଛି l କିନ୍ତୁ ଶ୍ରମିକ ମାନଙ୍କ ଦ୍ଵାରା ପୋଖରୀ ଖୋଳା କାର୍ଯ୍ୟ ହୋଇଛି ବୋଲି ଜାଲ ମଷ୍ଟର ରୋଲ ପ୍ରସ୍ତୁତ କରାଯାଉଛି l ଗୋପ ବ୍ଲକର ବିଡିଓ, ଏପିଓ, ଏଇ, ଜେଇ, ପିପିଓ , ଜିଆରଏସ , ଗ୍ରାମସାଥି ଓ ପଞ୍ଚାୟତ ସରପଞ୍ଚ ମିଳିତ ହୋଇ ଜବ କାର୍ଡ ଧାରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଥିବା ବେଳେ ଏସଏଜି ଗ୍ରୁପ ଏମବିକେ ବିଜୟ ଲକ୍ଷ୍ମୀ ସାହୁ, ଗୋପିନାଥ ବାରିକ, ମହେଶ୍ୱର ପ୍ରଧାନ ଙ୍କ ଭଳି ସରକାରୀ କର୍ମଚାରୀ କାମ ନକରି କିଭଳି ଭାବରେ ମଷ୍ଟର ରୋଲ୍ ରେ ନାମ ସ୍ଥାନ ପାଇଛି ଓ ଅର୍ଥ ପ୍ରଦାନ କରାଯାଇଛି ବୋଲି ସେମାନେ ବ୍ଲକ୍ ଅଫିସ୍ ଠାରୁ ବିଭାଗୀୟ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା କ୍ରମେ ଗୋବିନ୍ଦ ପାଣି ୨୦୨୨ ମସିହାରୁ ମରିଥିଲେ ମଧ୍ଯ ୨୦୨୩ ମସିହାରେ ଖୋଳା କାର୍ଯ୍ୟ କରି ଅର୍ଥ ପାଇଛନ୍ତି ! ପଞ୍ଚାୟତର ପ୍ରସାଦୀ ପୋଖରୀ ଓ ବଡ଼ ପୋଖରୀ ଖୋଳା କାର୍ଯ୍ୟ ଜେସିବି ମେସିନରେ ଖୋଳି ମୃତକ, ଶଯ୍ୟାସାୟୀ, ଚାକିରିଆ ନାମରେ ବିଲ କୁ ନେଇ ଲୋକାଯୁକ୍ତ ରେ ମାମଲା ରୁଜୁ କରାଯାଇଛି l ଏନେଇ ବାରମ୍ଵାର ଗୋପ ବିଡିଓ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗୋପ ବ୍ଲକ ବିଡିଓ, ମନରେଗା ପ୍ରୋଗ୍ରାମ ଅଫିସର, ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗାଁ ସାଥି ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଓଡିଶା ସରକାରଙ୍କ ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତି ସୁଚନା ଦେଇଛନ୍ତି।