ଏପ୍ରିଲ ୩ରୁ ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର, (l)ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଯାଇଛି I ଯାତ୍ରାର କର୍ତ୍ତା ପି ଦୁର୍ଗା ପ୍ରସାଦ ଦେଶବେହେରାଙ୍କ ଘର ସମ୍ମୁଖରେ ବୁଧବାର ରାତି ପ୍ରାୟ ୧୦ଟାବେଳେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଯାତ୍ରାର ସିଦ୍ଧାନ୍ତୀ ସୁଲଗ୍ନ ବାହାର କରିଥିଲେ । ଆସନ୍ତା ଏପ୍ରିଲ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଯାତ୍ରା ଆୟୋଜନ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । ଏପ୍ରିଲ ୩ ତାରିଖ ରାତି ୧୧ଟା ପରେ ମା’ ନିଜ ମନ୍ଦିରରୁ ଶୋଭାଯାତ୍ରାରେ ଆସି ନିଜ ବାପ ଘର ଦେଶୀ ବେହେରା ସହିରେ ପହଞ୍ଚିବେ। ମା’ଙ୍କ ଯାତ୍ରା ପାଇଁ ତାରିଖ ଧାର୍ଯ୍ୟ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ରାତିରେ ସଭା ଆଯୋଜନ ନେଇ ଦିନ ତମାମ୍ ଦେଣ୍ଡୁରା ବଜାଇ ସହରବାସୀଙ୍କୁ ଏନେଇ ଅବଗତ କରାଯାଇଥିଲା ।

ଏହିକ୍ରମରେ ରାତି୧୦ଟା ବେଳେ ସଭା ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ କେ.ଅନୀଲକୁମାର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବରିଷ୍ଠ ନେତା ସୁବାସ ମହାରଣା ସମେତ ବହୁ ମାନ୍ୟଗଣ୍ୟବ୍ୟକ୍ତି ଉପସ୍ଥିତ ସିଦ୍ଧାନ୍ତୀ ଭି ବାସୁଦେବ ଶାସ୍ତ୍ରୀଙ୍କ ଗଣନା ଅନୁଯାୟୀ ମା’ଙ୍କ ଆଗମନ ଏବଂ ପ୍ରସ୍ଥାନ ତାରିଖ ଏବଂ ସମୟ ଘୋଷଣା କରିଥିଲେ । ଠାକୁରାଣା ଯାତ୍ରା ତାରିଖ ଘୋଷଣା ପରେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ବିଳମ୍ବିତ ରାତିରେ ଏକ ବଡ଼ ପଟୁଆରରେ ଦେଶୀବେହେରା ପରିବାର ସଦସ୍ୟ ସାହିବାସ ସ୍ଥାନୀୟ ବ୍ୟବସାୟମାନେ ମିଳିତ ଭାବେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣା ମନ୍ଦିର ଅଭିମୁଖେ ବାହାରିଥିଲେ । ସେଠାରେ ପୂଜାଅର୍ଚ୍ଚନା କରାଯାଇଥିଲା । ଠାକୁରାଣୀ ଯାତ୍ରା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ମା’ଙ୍କୁ ଅବଗତ କରାଯାଇଥିଲା। ସେଠାରୁଫେରିବା ପରେ ଦେଶୀ ବେହେରାଙ୍କ ଘର ସାମ୍ନାରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା। ସୂଚନା ଯୋଗ୍ୟ ଯେ, ୨୦୨୩ ମସିହାରେ ଯାତ୍ରା ୨୮ ଦିନ ପାଇଁ ଆଯୋଜନ ହୋଇଥିଲା। ହେଲେ ଚଳିତ ବର୍ଷ ଯାତ୍ରା ୨୬ଦିନ ପାଇଁ ଆୟୋଜନ ହେବ ।ଅପରପକ୍ଷେ ବୁଧବାର ରାତିରେ ମା’ଙ୍କ ଯାତ୍ରା ପାଇଁ ଦେଶବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିବାବେଳେ ଏହାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି।୯ ଫୁଟ ଉଚ୍ଚତା ଏବଂ ୯ଟି ଗଣ୍ଠି ବିଶିଷ୍ଟ ଏହି ବାଉଁଶକୁ ପୂଜାଯାଠ କରି ବନ୍ଦାପନା କରିବା ପରେ କ୍ଷୀର, ମହୁ ଘିଅ ବହି ଓ ଗଙ୍ଗାପାଣିରେ ଅଭିମନ୍ତ୍ରିତ କରାଯାଇଥିଲା । ଗେରୁ ଆଉ ହଳଦି ଲେପନକରି ବାଉଁଶ ଅଗରେ ଆମ୍ବଡାଳ, ବରକୁଳିପତ୍ର, ଦୁବ ଏଭଳି ପଞ୍ଚପତ୍ରକୁ ବାନ୍ଧି ଇଷ୍ଟଦେବୀଙ୍କ ଠାରେ ପୂଜାପାଠ କରାଯାଇଥିଲା। ପୂଜାପାଠ ପରେ ସନ୍ଧ୍ୟାରେ ଦେଶୀବେହେରା ସାହି ସ୍ଥଳକୁ ଅଣାଯାଇଥିଲା । ଶୁଭଖୁଣ୍ଟି ପହଞ୍ଚିବା ପରେ ଦେଶୀବେହେରାଙ୍କ ପକ୍ଷରୁ ବନ୍ଦାପନା କରାଯାଇଥିଲା। ଯାତ୍ରା ପାଇଁ ଲଗ୍ନ ବାହାରିବା ପରେ ପଟୁଆରରେ ମା’ଙ୍କ ମନ୍ଦିରକୁ ନିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *