ଅର୍କଶ୍ରୀ ରଜଉତ୍ସବ ୨୦୨୩

ଦିତୀୟ ଦିନରେ ଭଗବତୀ ପୀଠରେ ପ୍ରବଳ ଭିଡ଼ କୋଣାର୍କ:୧୫.୦୬- ମା ଭଗବତୀଙ୍କ ପୀଠରେ ଅର୍କଶ୍ରୀ ଓ ନିଶିଗନ୍ଧା ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ଯାପି ରଜ ଉତ୍ସବ ୨୦୨୩ ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି। ଦିତୀୟ ଦିନରେ ରଜ ସଂକ୍ରାନ୍ତି ଅବସରରେ ଭଗବତୀ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସାମାଜିକ ଅନୁଷ୍ଠାନ ଅର୍କଶ୍ରୀ ଏବଂ ନିଶିଗନ୍ଧା ଭାଷା ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ମୌସୁମୀ ଋତୁକୁ ସ୍ବାଗତ କରିବା, ଓଡିଶା ପରମ୍ପରା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା, ମହିଳା ସଶକ୍ତିକରଣର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ଚାରି ଦିନ ବ୍ୟାପି ଚାଲିବ। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଗଣ ପର୍ବ ଏବେ ବିଶାଳ ଉତ୍ସବରେ ପରିଣତ ହୋଇଛି। ଏହି ୨୪ତମ ରଜ ଉତ୍ସବ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍କପ୍ରଭା, ଅର୍କଶ୍ରୀ ଓ ରଜ ସମ୍ମାନରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। ରଜ ସଂକ୍ରାନ୍ତି ଦିନ ମହିଳା ମାନଙ୍କ ମଧ୍ୟରେ ଗୀତ, କାନ୍ଦଣା, ହୁଳହୁଳି, ପୁଚି, ଲୁଡୁ, ତାସ, ମେହେନ୍ଦି, ଝୋଟି ପ୍ରତିଯୋଗିତା ସହ ପାନ ଓ ପୋଡ଼ପିଠା ପ୍ରସ୍ତୁତି ସହ ପୁରୁଷ ମାନଙ୍କ ପାଇଁ କବାଡି, ନଡ଼ିଆ ଲଢେଇ, ତାସ ଓ ଲୁଡୁ ପ୍ରତିଯୋଗିତା କରାଯାଇଛି। ଏହି ରଜ ଉତ୍ସବ ଉପଲକ୍ଷେ ନିଶିଗନ୍ଧା ଭାଷା ସାହିତ୍ୟ ଅନୁଷ୍ଠାନର ନିଜର ସହଭାଗିତା ସହ ୮ମ ବାର୍ଷିକ ଉତ୍ସବ ପାଳନ କରୁଛି। ଏହି ଅବସରରେ ପ୍ରତିଦିନ ସାଧାରଣ ସଭା, ସାହିତ୍ୟ ଆସର, ଆଲୋଚନା, ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରଜ ଉତ୍ସବର ଦ୍ବିତୀୟ ଦିନରେ ଅତିଥି ଭାବେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନ୍ ଶାହା ଅନସାରୀ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଗଣପର୍ବ ଓ ଓଡିଶା ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମାନେ ସୁସଜ୍ଜିତ ଦୋଳିରେ ଖେଳିବା ସହ ପାରମ୍ପରିକ ପିଠା ପଣା ଖାଇବା, ନାଚ ଗୀତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ମଉଜ କରୁଥିବା ଦେଖିବାକୁ ମିଳିଛି। ଏହିଉତ୍ସବକୁ ଆର୍କଶ୍ରି ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ, ନୀଶିଗନ୍ଧା ସମ୍ପାଦକ ବଳରାମ ତରାଇ, ମଞ୍ଚ ପରିଚାଳକ ପ୍ରତାପ ରାଉତ, ପଞ୍ଚାନନ ବରାଳ, ଲିଙ୍ଗରାଜ ନାୟକ ଓ ସୁରେଶ ସ୍ବାଇଁ, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।