ଆସାମୀ ରବୀନ୍ଦ୍ର ସାହୁଙ୍କୁ ୨୦ ବର୍ଷ କାରାଦଣ୍ଡ ସହିତ ୪୫ ହଜାର ଜୋରିମାନ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ସଦେଇପୁର ଅଞ୍ଚଳରେ ୨୦୨୦ ମସିହାରେ ୧୫ ବର୍ଷର ନାବାଳିକା ଅପହରଣ ଓ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ମାମଲାରେ ଆସାମୀ ରବୀନ୍ଦ୍ର ସାହୁଙ୍କୁ ୨୦ ବର୍ଷ କାରାଦଣ୍ଡ ସହିତ ୪୫ ହଜାର ଜୋରିମାନରେ ଦଣ୍ଡିତ କଲେ ଜଗତସିଂହପୁର ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ।ସୂଚନା ଅନୁସାରେ ରଘୁନାଥପୁର ଥାନା ସାଦେଇପୁର ଗାଁରେ ଗଂଜାମ ଗୋଲବନ୍ଧ ତାରାସିଂହ ଅଞ୍ଚଳର ଆସାମୀ ରବୀନ୍ଦ୍ର ସାହୁ ରହି ରାଜମିସ୍ତ୍ରୀ କାମ କରୁଥିଲା । ଗତ ୨୦୨୦ ମସିହା ଜାନୁଆରୀ ୩ ତାରିଖ ସନ୍ଧ୍ୟା ସମୟରେ ସେହି ଗାଁର ଜଣେ ୧୫ ବର୍ଷୀୟା ନାବାଳିକା ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ରବୀନ୍ଦ୍ର ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି ଏକ ଟାଟା ମ୍ୟାଜିକ ସହାୟତାରେ ଭୁବନେଶ୍ୱର ନେଇ ଏକ ଘରେ ରଖି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଘଟଣା ଦିନ ଝିଅ ଘରକୁ ନ ଫେରିବାରୁ ନାବଳିକାର ମା ରଘୁନାଥପୁର ଥାନାରେ ଏତଲା ଦେଇଥିଲେ । ରଘୁନାଥପୁର ପୋଲିସ କେଶ ନମ୍ବର ୧୫୯/୨୦୨୦ ରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଆସାମୀ ରବୀନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଜଗତସିଂହପୁର ଫାଷ୍ଟ ଟ୍ରାକ ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ଆସାମୀ ରବୀନ୍ଦ୍ର ସାହୁଙ୍କୁ ୨୦ବର୍ଷ କାରାଦଣ୍ତ ସହିତ ୪୫ ହଜାର ଜୋରିମାନାରେ ଦଣ୍ଡିତ କରିଛନ୍ତି ।ଏହି ଘଟଣାରେ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କେଶ ପରିଚାଳନା କରୁଥିଲେ ।
ଜଗତସିଂହପୁର ରୁ ରୀତା ସାହୁ