ଅକ୍ଷୟ ତୃତୀୟା

        ଅକ୍ଷୟ ତୃତୀୟା
           ( ରାଗ–ରସକୁଲ୍ୟା)
                ରଞ୍ଜୁଲତା  ପାଢୀ
   &&&&&&&&&&&&&&।

ବୈଶାଖ ମାସର  ଶୁକ୍ଳ ତୃତୀୟା
ପରମ ପାବନ  ଅକ୍ଷିତୃତୀୟା
ସନାତନ ଧର୍ମ  ସଂସ୍କୃତି ଛାୟା
ସୁଖ ସମୃଦ୍ଧିର ପରବ ଆହା  ସେ
ଉତ୍କଳୀୟ ପରମ୍ପରା ଯେ
ସୌଭାଗ୍ୟ ମଣ୍ଡିତ ଭିନ୍ନ ଭିନ୍ନ ମତ
ପାଳନରେ ସୁଖସାରା ଯେ।

ଅନେକ ମାହାତ୍ମ୍ୟ ଭରା ପରବ
କୃଷି ଭିତ୍ତିକରେ ଚାଷୀ ଗରବ
ନାନା ପିଠାପଣା ନାନା ଦରବ
କ୍ଷେତରେ ଲକ୍ଷ୍ମୀଙ୍କୁ ଅର୍ପି ସରବ ସେ
ଐଶାନ୍ୟ କୋଣରେ ପୂଜା ଯେ
କୃଷକ ରମଣୀ   ପୂଜାଦ୍ରବ୍ୟ ଘେନି
ପ୍ରତ୍ୟୁଷରୁ  ସାଜସଜ୍ଜା ଯେ।

କ୍ଷୟ ହୁଏନାହିଁ ଯେବେ କାହାର
ଅକ୍ଷୟ ତୃତୀୟା ନାମଟି ତା’ର
ହର୍ଷୋଲ୍ଲାସ,ଶାନ୍ତି ଓ ବିଶ୍ୱାସର
ଅକ୍ଷୟ ମଣ୍ଡିତ ଚିର ଭାସ୍ୱର ସେ
ପ୍ରଶସ୍ତ ଏ ଶୁଭଦିନ ଯେ
ପ୍ରତିକ୍ଷଣ ଯା’ର ଶୁଭ ମୂହୂର୍ତ୍ତର
ବାର୍ତ୍ତାବହେ ଚିରଦିନ ଯେ।

ରିଷ୍ଟ,ଅନିଷ୍ଟର ଶୋଚନା ନାହିଁ
ଗୃହାରମ୍ଭ, ବିଭା, ବ୍ରତଟି ପାଇଁ
ପ୍ରତି ଶୁଭକାର୍ଯ୍ୟ  ମଙ୍ଗଳ ହୋଇ
ଅକ୍ଷୟ ତୃତୀୟା ଏ ପୂଣ୍ୟଭୂଇଁ ସେ
ପଞ୍ଜିକା ନୁହେଁ ଗଣନ ଯେ
ମାହେନ୍ଦ୍ର ଲଗନ  ଦିବସ ଶୋଭନ
ଫଳ ରହେଟି ଅକ୍ଷୁର୍ଣ୍ଣ ଯେ  ।

ଧରାବତରଣ  କଲେ ଜାହ୍ନବୀ
ଧରଣୀ ମାତାର ଚରଣ ସେବି
ଗୀତଗୋବିନ୍ଦ ରଚୟିତା କବି
ଭକ୍ତ ଜୟଦେବ ଜନମ ଲଭି ସେ
ଜଗତେ ହେଲେ ବିଖ୍ୟାତ ଯେ
ଯେତେ ଦିନଥିବ  ଏ କାବ୍ୟର ଭାବ
ତୋଷହେବେ ଜଗନ୍ନାଥ  ଯେ ।।

ଶ୍ରେଷ୍ଠ ବନ୍ଧୁତ୍ୱର ପ୍ରତୀକ ଦିନ
କୃଷ୍ଣ ସୁଦାମାଙ୍କ ଶୁଭ ମିଳନ
ବନ୍ଧୁ ଦାରିଦ୍ର୍ୟତା  ହଟାଇ କୃଷ୍ଣ
ରଖିଲେ ବନ୍ଧୁତା ଚିର ଅମ୍ଳାନ ସେ
ସୁଖ ସମୃଦ୍ଧିର ଦିନ ଯେ
ମାତା ଲକ୍ଷ୍ମୀଙ୍କର କୃପା ଯେ ଅପାର
ଭକ୍ତ ହେଲେ ପରିପୂର୍ଣ୍ଣ ଯେ।

ଶୁଭ ଅନୁକୂଳ ରଥକାଠର
ସୁବର୍ଣ୍ଣ କୁରାଢୀ ସ୍ପର୍ଶ ତହିଁର
ରଥ ସଂହିତା ଓ ଶିଳ୍ପଶାସ୍ତ୍ରର
ଶାଢୀବନ୍ଧା ନୀତି ସମାପନର ସେ
ରଥର ଅୟମାରମ୍ଭ ଯେ
ସେବକଙ୍କ  ମେଳେ କାର୍ଯ୍ୟ ସୁଶୃଙ୍ଖଳେ
ସର୍ବକାର୍ଯ୍ୟ ଶୁଭାଶୁଭ ଯେ।

ଚାପ ଖେଳିଯିବେ ମଧୁସୂଦନ
ନରେନ୍ଦ୍ର ପୋଖରୀ କି ଶୋଭାବନ
ଚନ୍ଦନ ଯାତ ଏକବିଂଶଦିନ
ଭୂଦେବୀ ଶ୍ରୀଦେବୀ ସଙ୍ଗତେ ଜାଣ ସେ
ସାଥେ ମଦନମୋହନ ଯେ
ଚଳନ୍ତି ପ୍ରତିମା ଦେବ ମହାତମା
ଦର୍ଶନେ ପାପ ନାଶନ ଯେ।

ସାତ୍ତ୍ୱିକ ଆହାର କରି ଭୋଜନ
ଅନ୍ନଦାୟିନୀଙ୍କୁ ସ୍ମରି ପୂଜନ
ଦୂର ହୋଇଯିବ ଦୁଃଖ ଦଇନ
ସାଗର ମନ୍ଥନୁ ହେଲେ ଉତ୍ପନ୍ନ ସେ
ଦେବୀ ସେ ଆଦ୍ୟ ପୂଜନ ଯେ
ଧନ ପ୍ରାପ୍ତ ସାଥେ କୃପା ମିଳେ ପଥେ
ବନ୍ଦନେ ହୋଇବା ଧନ୍ୟ ଯେ।

କେତେ ଯେ ମହତ୍ତ୍ୱ ଏ ଦିବସର
କୁବେର ପ୍ରାପତ ଧନ ଭଣ୍ଡାର
ଭୂମିସୂତା ପ୍ରାପ୍ତି ଜନକଙ୍କର
ଅକ୍ଷୟ ପାତ୍ରଟି  ଯେ ଯୁଧିଷ୍ଠିର ସେ
ସୂର୍ଯ୍ୟଦେବ କଲେ ଦାନ ଯେ
ଦୁର୍ବାସା ତୋଷିଲେ ଯାଜ୍ଞସେନୀ ଭଲେ
ସେପାତ୍ରେ କରି ରନ୍ଧନ ଯେ।

ପରମ୍ପରାର ଏ ଗାଥା ମହାନ
ଅକ୍ଷୟ ତୃତୀୟା ମହତ ଦିନ
ପୁଣ୍ୟମୟୀଧାମ କେଡେ ପାବନ
ଅଣୁଠାରୁ ବୃକ୍ଷ ସର୍ବ ପୂଜନ ସେ
ଉତ୍କଳର ସ୍ୱାଭିମାନ ଯେ
ସର୍ବ ଅନୁକୂଳ ମହାପର୍ବ ଗଣ୍ୟ
ପବିତ୍ର ଅକ୍ଷୟ ଦିନ ଯେ।।

     ରାଉରକେଲା।।ସୁନ୍ଦରଗଡ।।

Leave a Reply

Your email address will not be published. Required fields are marked *