ଆସାମରେ ଦୁଇ ଥର ଭୂକମ୍ପ ଅନୁଭୁତ, ତୀବ୍ରତା ୩.୬ ଏବଂ ୨.୮ ରେକର୍ଡ଼

ଗୁଆହାଟୀ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ୨ ଘଣ୍ଟା ମଧ୍ୟରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ରେକର୍ଡ କରାଯାଇଛି। ଉଭୟ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ।

ରିକ୍ଟର ସ୍କେଲରେ ୩.୬ ତୀବ୍ରିତାଯୁକ୍ତ ପ୍ରଥମ ଭୂକମ୍ପ ପୂର୍ବାହ୍ନ ୯ଟା ୩ମିନିଟ ସମୟରେ ବ୍ରହ୍ମପୁତ୍ର ନଦୀର ଦକ୍ଷିଣ କୂଳରେ ଥିବା ଜୋରହାଟ ଜିଲାର ତିତାବର ନିକଟରେ ଭୂଗର୍ଭର ୫୦ କିଲୋମିଟର ଗଭୀରରେ ରେକର୍ଡ କରାଯାଇଥିଲା ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର କହିଛି। ଶିବସାଗର, କର୍ବି ଆଙ୍ଗ୍ଲୋଙ୍ଗ ଏବଂ ଗୋଲାଘାଟ ଜିଲାରେ ଏହି କମ୍ପନ ଅନୁଭୂତ ହୋଇଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଲାଖୀପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ନାଗାଲାଣ୍ଡର ଉତ୍ତର-ପଶ୍ଚିମ ଭାଗରେ ଥିବା ଅନେକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ସେହିପରି ପୂର୍ବାହ୍ନ ୧୧ଟା ୨ ସମୟରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୨.୮ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳର ଦାରାଙ୍ଗ ଜିଲାର ଡାଲଗାଓଁ ନିକଟରେ ଭୂଗର୍ଭର ୯ କିଲୋମିଟର ଗଭୀରରେ ଏହାର କେନ୍ଦ୍ର ଥିଲା। ଉଡାଲଗୁରୀ, ବକସା ଏବଂ ସୋନିଟପୁର ଜିଲାରେ ରହୁଥିବା ଲୋକମାନେ ଏହି ଭୂକମ୍ପ ଅନୁଭବ କରିଥିବାବେଳେ ଶକ୍ତିଶାଳୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ ମୋରିଗାଓଁର ଲୋକମାନେ ମଧ୍ୟ କମ୍ପନ ଅନୁଭବ କରିଥିଲେ।

Leave a Reply

Your email address will not be published. Required fields are marked *