ବାବା ବାଲିକପିଳେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ କୋଣାର୍କ ବେଳାମାର୍ଗରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମହାଦେବଙ୍କ ପୀଠରେ ଜାଗର ଯାତ୍ରା ନିମନ୍ତେ ଗୁରୁବାର ଅପରାହ୍ନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଓ ମାନସିକ ଧାରୀ ମାନେ ସକାଳୁ ଦର୍ଶନ କରିବା ସହିତ ସାରା ରାତି ଉଜାଗର ରହି ଜାଗର ଦୀପ ଜାଳିବେ। ସକାଳୁ ଓ ଦିନତମାମ ସହ ସାରା ରାତି କିପରି ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବେ ବାରିକଡ ବ୍ୟବସ୍ଥା, ଠାକୁରଙ୍କ ନିତିକାନ୍ତି ସୁରୁଖୁରୁରେ ସମ୍ପାଦନ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ଦୋକାନ ବଜାର ଆଦିର ସୂ ବନ୍ଦୋବସ୍ତ ନିମନ୍ତେ ଆଲୋଚନା ହୋଇଥିଲା। ବାଲିକପିଳେଶ୍ୱର ସେବାୟତ ସଙ୍ଘ ଓ ପରିଚାଳନା କମିଟି ମିଳିତ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ନେଇ ନିଷ୍ପତି ନିଆଯାଇଥିଲା। ସ୍ଥାନୀୟ ତହସିଲ ପ୍ରଶାସନ, ତରକୋର ଓ ସୂତନ ପଞ୍ଚାୟତ ପ୍ରତିନିଧି ମାନେ ମିଳିତ ଭାବେ କିପରି ପରିଚାଳନା କରିବେ ସେନେଇ ପ୍ରସ୍ତାବ ଦିଆଯାଇଥିଲା। ଏହି ଅବସରରେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜନାର୍ଦନ ପାଢ଼ୀ, ରାମଚଣ୍ଡୀ ଥାନା ଅଧିକାରୀ ବସନ୍ତ କୁମାର ସାହୁ, ବାଲିକପିଳେଶ୍ୱର ଉନ୍ନୟନ କମିଟି ସଭାପତି ଗୋପାଳ ଚନ୍ଦ୍ର ବେହେରା, ସଂଯୋଜକ ରାମକୃଷ୍ଣ ମହାନ୍ତି, ସେବାୟତ ସଙ୍ଘ ସଭାପତି ମଦନ କୁମାର ମହାପାତ୍ର, ସେବାୟତ ପ୍ରକାଶ ଚନ୍ଦ୍ର ପଣ୍ଡା, ସମିତି ସଭ୍ୟ କାଶୀନାଥ ନାୟକ, ତରକୋର ସଭାପତି ଦୁର୍ଯ୍ୟଧନ ଖଟୋଇ, ମଣ୍ଡଳ ସଭାପତି ଦିଲୀପ ପ୍ରଧାନ,

ଯୁବନେତା ଶ୍ରୀଧର ସ୍ବାଇଁ, ଶିବ ନାରାୟଣ ମୁରୁଡି ଓ ସତ୍ୟ ବରାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଜାଗର ଯାତ୍ରା କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ନିଜର ମତାମତ ରଖିଥିଲେ। ଜାଗର ଭୋର ୩ ଟାରୁ ସକାଳ, ଦିନ ଓ ରାତି ତମାମ ବିଭିନ୍ନ ନିତିକାନ୍ତି ସହିତ ରାତ୍ର ୨ଟାରେ ହରିହର ଭେଟ ଓ ରାତି ୩ଟାରେ ମହାଦୀପ ଉଠିବା ନେଇ କାର୍ଯ୍ୟକ୍ରମ ରହିଛି ବୋଲି ସେବାୟତ ସଭାପତି ମଦନ କୁମାର ମହାପାତ୍ର ସୁଚନା ଦେଇଛନ୍ତି।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *